ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ଆଜି ନୀତି ଆୟୋଗଙ୍କ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଏବଂ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଅଧୀନରେ” ସମ୍ପୂର୍ଣ୍ଣତା ଅଭିଯାନ ୨” ର ଶୁଭାରମ୍ଭ କରିଛନ୍ତି।
ଆକାଂକ୍ଷୀ ଜିଲ୍ଲା ନୂଆପଡାରେ “ସମ୍ପୂର୍ଣ୍ଣତା ଅଭିଯାନ ୨" ର ଶୁଭାରମ୍ଭ

ନୂଆପଡା, ତା.୫ ୨ ଜିଲ୍ଲା ଖବର
ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ଆଜି ନୀତି ଆୟୋଗଙ୍କ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଏବଂ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଅଧୀନରେ” ସମ୍ପୂର୍ଣ୍ଣତା ଅଭିଯାନ ୨” ର ଶୁଭାରମ୍ଭ କରିଛନ୍ତି।
ଏହି ଅବସରରେ ସ୍ଥାନୀୟ ପରସାଗୁଡା ସ୍ଥିତ ବହୁମୁଖୀ ହଲ୍ ରେ ଆୟୋଜିତ କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି ଶ୍ରୀ ପ୍ରେମ ଅଗ୍ରୱାଲ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ଦୀପିକା ଦିପ ,ଖରିଆର ରୋଡ୍ ଏନ୍ ଏ ସି ଅଧ୍ୟକ୍ଷା ଡା. ସୋନିଆ ଜୈନ, ନୂଆପଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ତାରେଶ୍ୱରୀ ସାହୁ, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଉମା ଠାକୁର, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଧର ଧରୁଆ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଧନେଶ୍ୱର ସେଠୀ, ସି ଡି ଭି ଓ ଡଃ ସୁଖେନ୍ଦୁ ରାୟ, ଜିଲ୍ଲା କୃଷୀ ଅଧିକାରୀ ପ୍ରଦୀପ କୁମାର ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଏସ. ଗୀତା ପ୍ରମୁଖ ଯୋଗ ଦେଇଥିଲେ l ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, କ୍ଷମାନିଧି ଭୋଇ ଅତିଥିମାନଙ୍କୁ ସ୍ଵାଗତ କରି ପରିଚୟ ପ୍ରଦାନ କରିଥିଲେ l ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧରୁଆ
ସମ୍ପୂର୍ଣ୍ଣତା ଅଭିଯାନ ୨ ର ଉଦ୍ଦେଶ୍ୟ ଓ ଜିଲ୍ଲାର ସଫଳତା ଉପସ୍ଥାପନ କରିଥିଲେ l ଏହି ଅବସରରେ ସମ୍ପୂର୍ଣ୍ଣତା ଅଭିଯାନ ୨ ଉପରେ ଆଧାରିତ ଏକ ମାର୍ଗଦର୍ଶୀ ପୁସ୍ତିକା ମଧ୍ୟ ଉନ୍ମୋଚନ କରାଯାଇଥିଲା। ଜିଲ୍ଲାପାଳ ଉପସ୍ଥିତ ଅଧିକାରୀ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ଓ ଅନ୍ୟାନ୍ୟ ଅଂଶଗ୍ରହଣକାରୀ ମାନଙ୍କୁ ଅଭିଯାନ ସଫଳତା ପାଇଁ ଶପଥ ପଠାଇଥିଲେ।
ସମସ୍ତଙ୍କୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେ ଯେ ଜିଲ୍ଲାରେ ମା ଓ ଶିଶୁଙ୍କ ମୃତ୍ୟୁ ହେଉଥିଲେ କିମ୍ବା ଶିଶୁ ପାଠ ପଢ଼ୁନଥିଲେ, ସେଠାରେ ସମ୍ପୂର୍ଣ୍ଣତା ନାହିଁ। ଆଜିର ଶିଶୁ ହେଉଛି ଆଗାମୀ କାଲିର ନାଗରିକ। ସେମାନଙ୍କ ଯତ୍ନ ନେବା ଆମର ଦାୟିତ୍ୱ। ପଛୁଆ ଅଞ୍ଚଳକୁ ମୁଖ୍ୟସ୍ରୋତରେ ଆଣିବାକୁ ପଡ଼ିବ। ତୃଣମୂଳ ସ୍ତରରେ ଆଶା ଓ ଅଙ୍ଗନୱାଡି କର୍ମୀମାନେ ନିଷ୍ଠାର ସହ କାମ କରନ୍ତୁ। ମା ଓ ଶିଶୁ ମୃତ୍ୟୁ ମୋଟେ ହେବା ଉଚିତ୍ ନୁହେଁ। ଗତ ମାସରେ ଆମ ଜିଲ୍ଲାରେ ଗୋଟିଏ ମଧ୍ୟ ମା’ ର ମୃତ୍ୟୁ ଘଟିନାହିଁ। ସମ୍ପୂର୍ଣ୍ଣତା ଅଭିଯାନ ୨ ର ଉଦ୍ଦେଶ୍ୟ ହେଉଛି ସ୍ୱାସ୍ଥ୍ୟ, ପୁଷ୍ଟି, ଶିକ୍ଷା, କୃଷି, ପ୍ରାଣୀ ସମ୍ପଦ, ସାମାଜିକ ବିକାଶ ଓ ଭିତ୍ତିଭୂମି ସୂଚକାଙ୍କରେ ସମୟସୀମା ମିଶନ ମୋଡରେ ପରିପୂର୍ଣ୍ଣତା ହାସଲ କରିବା l ଗତ ବର୍ଷର ହାସଲ ହୋଇଥିବା ପ୍ରଗତିକୁ ବଜାୟ ରଖିବା, ସଫଳ ଅଭ୍ୟାସଗୁଡ଼ିକୁ ସଂସ୍ଥାଗତ କରିବା ଏବଂ ଜନସାଧାରଣ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ତୃଣମୂଳ ସଂଗଠନମାନଙ୍କ ଅଂଶଗ୍ରହଣ ମାଧ୍ୟମରେ ସାମଗ୍ରିକ ଉନ୍ନତି ସୁନିଶ୍ଚିତ କରିବା।
ଏହି ଅଭିଯାନ ୨୮ ଜାନୁଆରୀ ୨୦୨୬ ରୁ ୧୪ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଚାଲିବ। ଅଭିଯାନ ସମୟରେ ବିଭିନ୍ନ ବିଭାଗର ଅଧିକାରୀମାନେ ସମନ୍ୱୟରେ କାର୍ଯ୍ୟ କରି ଲୋକଙ୍କୁ ସରକାରୀ ସେବା ଓ ଯୋଜନା ସହିତ ଯୋଡ଼ିବେ।ଉଲ୍ଲେଖଯୋଗ୍ୟଯେ, ଗତବର୍ଷ ସମ୍ପୂର୍ଣ୍ଣତା ଅଭିଯାନ ୧ ର ସଫଳ ରୂପାୟନ ପାଇଁ ନୂଆପଡା ଜିଲ୍ଲା ରାଜ୍ୟ ସ୍ତରରେ ବ୍ରୋଞ୍ଜ ପଦକ ହାସଲ କରିଥିଲା। ଏହି ସଫଳତା ଉପରେ ଭିତ୍ତିକରି ସମ୍ପୂର୍ଣ୍ଣତା ଅଭିଯାନ ୨କୁ ମିଶନ ମୋଡରେ ଆଗକୁ ନେଇ ଆମେ ଏଥର ସ୍ଵର୍ଣ୍ଣ ପଦକ ହାସଲ କରିବା ବୋଲି ଜିଲ୍ଲାପାଳ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ l କାର୍ଯ୍ୟକ୍ରମକୁ ଅନିଲ ଲେଙ୍କା ସଂଯୋଜନା କରିଥିବା ବେଳେ ବୋଡ଼େନ ବିଡ଼ିଓ ସୁଶାନ୍ତ କୁମାର ରଣା ଧନ୍ୟବାଦ ଅର୍ପଣ କରିଥିଲେ l
କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନର ବିଭିନ୍ନ ବରିଷ୍ଠ ଅଧିକାରୀ, ବ୍ଲକ୍ ସ୍ତରୀୟ ଅଧିକାରୀ, ଲୋକପ୍ରତିନିଧି, ଆଶା ଓ ଅଙ୍ଗନୱାଡ଼ି କର୍ମୀ , ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।![]()



