ନୂଆପଡ଼ାରେ ଗର୍ଭଧାରଣପୂର୍ବ ନିଦାନ ଆଇନ ସଚେତନତା କର୍ମଶାଳା ଅନୁଷ୍ଠିତ
ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି

ଗର୍ଭଧାରଣପୂର୍ବ ଓ ଗର୍ଭାବସ୍ଥା ପୂର୍ବ ନିଦାନ ପ୍ରବିଧି (ଲିଙ୍ଗ ଚୟନ ନିଷେଧ) ଆଇନ, ୧୯୯୪–(PC &PNDT) ସମ୍ବନ୍ଧୀୟ ଏକ ଜିଲ୍ଲା ସ୍ତରୀୟ ସଚେତନତା କର୍ମଶାଳା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମ ଆରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଧନେଶ୍ୱର ସେଠୀ ସମସ୍ତଙ୍କୁ ସ୍ବାଗତ ଜଣାଇ କର୍ମଶାଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେ। ସେ ପିସି ଏଣ୍ଡ ପିଏନ୍ଡିଟି ଆଇନର ବିଭିନ୍ନ ପ୍ରାବଧାନ, ଅଲ୍ଟ୍ରାସାଉଣ୍ଡ କେନ୍ଦ୍ରର ନିବନ୍ଧନ ଓ ନିୟମିତ ରେକର୍ଡ ରକ୍ଷଣାବେକ୍ଷଣର ଆବଶ୍ୟକତା ସହିତ ଆଇନର କଡ଼ା ରୂପାୟଣ ଉପରେ ଜୋର ଦେଇଥିଲେ।ଜି
ଲ୍ଲା ବିଧି ସେବା କର୍ତ୍ତୃପକ୍ଷ (ଡିଏଲଏସଏ) ସଚିବ ନବନୀତା ଦାସ ଆଇନର ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଅଲୋକପାତ କରିଥିଲେ। ସେ ଶିଶୁ ବିବାହ ନିଷେଧ ଆଇନ, ମେଡିକାଲ ଟର୍ମିନେସନ ଅଫ ପ୍ରେଗ୍ନେନ୍ସି (ଏମଟିପି) ଆଇନ, ଅବୈଧ ଲିଙ୍ଗ ନିର୍ଣ୍ଣୟ ନିଷେଧ, ଅଲ୍ଟ୍ରାସାଉଣ୍ଡ କେନ୍ଦ୍ରର ନିବନ୍ଧନ ପ୍ରକ୍ରିୟା, ଅପ୍ରାପ୍ତ ବୟସ୍କ ମାଆମାନଙ୍କ ପୁନର୍ବାସ ବ୍ୟବସ୍ଥା ଓ ଲିଙ୍ଗ ନିର୍ଣ୍ଣୟ ସମ୍ବନ୍ଧୀୟ ଆଇନଗତ ପ୍ରାବଧାନ ସମ୍ପର୍କରେ ସଚେତନ କରାଇଥିଲେ। ଜିଲ୍ଲାପାଳ ଶ୍ରୀ ଦାଶ ବ୍ଲକ୍ ସ୍ତରରେ ଏପରି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସମସ୍ତ ବିଡିଓ ଓ ତହସିଲଦାରମାନଙ୍କୁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ ନୂଆପଡା ଜିଲ୍ଲାର ଲିଙ୍ଗାନୁପାତ ୯୭୩ ରହିଥିବାବେଳେ ଏହା ରାଜ୍ୟ ଓ ଜାତୀୟ ହାରଠାରୁ ଉତ୍କୃଷ୍ଟ ଅଛି। କନ୍ୟା ସନ୍ତାନଙ୍କ ସୁରକ୍ଷା ଓ ପ୍ରୋତ୍ସାହନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ “ଝିଅ ପାଇଁ ଗଛଟିଏ” କାର୍ଯ୍ୟକ୍ରମ ଚାଲୁ ରହିଥିବା କଥା ସେ ଉଲ୍ଲେଖ କରିଥିଲେ। ଏହା ସହିତ ଅବିବାହିତ ମାଆମାନଙ୍କ ପୁନର୍ବାସ ଓ ସମ୍ମାନପୂର୍ଣ୍ଣ ଜୀବନ ନିଶ୍ଚିତ କରିବା ପାଇଁ ସମସ୍ତ ବିଭାଗ ସମନ୍ୱୟରେ କାର୍ଯ୍ୟ କରିବାକୁ ସେ ଆହ୍ୱାନ କରିଥିଲେ।

କାର୍ଯ୍ୟକ୍ରମରେ ଏଡିପିଏଚଓ (ଭିବିଡି) ଡା. ଗୁରୁପ୍ରସାଦ ଜେନା, ଡିପିଏଚଓ ଡା. ଦ୍ୱାରିକାନାଥ ସତପଥୀ, ଡିପିଏମ ସତ୍ୟନାରାୟଣ ତ୍ରିପାଠୀ, ଡିଏମଆରସିଏଚ୍ ଗୁରୁଦେବ କୁମ୍ଭାର, ଏଏମ୍ ଲେଇସ୍ ତନ୍ମୟ ସାମନ୍ତ୍ରାୟ ସହିତ ବିଭିନ୍ନ ବ୍ଲକ୍ର ବିଡିଓ, ତହସିଲଦାର ଓ ପାରା ଲିଗାଲ୍ ଭଲେଣ୍ଟିଅରମାନେ ଉପସ୍ଥିତ ଥିଲେ।




