ନୂଆପଡ଼ାରେ ରାଷ୍ଟ୍ରୀୟ ପେନସନ ଯୋଜନା (ଏନପିଏସ) ର ରାଜ୍ୟବ୍ୟାପୀ ସେବା ସପ୍ତାହ ପାଳନ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ
ନୂଆପଡ଼ାରେ ରାଷ୍ଟ୍ରୀୟ ପେନସନ ଯୋଜନା ସେବା ସପ୍ତାହ ପାଳନ ଉପଲକ୍ଷେ ସଚେତନତା ସଭା ଅନୁଷ୍ଠିତ l ସମସ୍ତ ଡି ଡି ଓ ମାନଙ୍କୁ ସେମାନଙ୍କ ଗୁରୁ ଦାୟିତ୍ବ ସମ୍ପର୍କରେ ସଚେତନ କଲେ ଜିଲ୍ଲାପାଳ

ନୂଆପଡା, ତା. ୧୨/୦୨
ନୂଆପଡ଼ାରେ ରାଷ୍ଟ୍ରୀୟ ପେନସନ ଯୋଜନା (ଏନପିଏସ) ର ରାଜ୍ୟବ୍ୟାପୀ ସେବା ସପ୍ତାହ ପାଳନ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ନେସନାଲ କଲେଜଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ରାଜ୍ୟବ୍ୟାପୀ ସେବା ସପ୍ତାହ ଫେବୃୟାରୀ ୯ ରୁ ୧୩ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି।ଏହି କାର୍ଯ୍ୟକ୍ରମ ଜିଲ୍ଲା ଟ୍ରେଜରୀ, ନୂଆପଡା ପକ୍ଷରୁ ଆୟୋଜିତ ହୋଇଥିଲା। ବିଭିନ୍ନ ବିଭାଗର ସଂଲଗ୍ନ ଉଠାଣ ଓ ବିତରଣ ଅଧିକାରୀ (ଡିଡିଓ)ମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।ଆରମ୍ଭରେ ଜିଲ୍ଲା ଟ୍ରେଜରୀ ଅଧିକାରୀ ମର୍ଦ୍ଦରାଜ ମହାଲିଙ୍ଗ ସମସ୍ତଙ୍କୁ ସ୍ୱାଗତ କରି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଅଲୋଚନା କରିଥିଲେ। ସେ କହିଲେ ଯେ, ନୂତନ ପେନସନ ଗ୍ରାହକ, ଏନପିଏସ ମାନଙ୍କୁ ସଶକ୍ତ କରିବା ଏହି ସେବା ସପ୍ତାହର ମୁଖ୍ୟ ଲକ୍ଷ୍ୟ।ସହକାରୀ ଟ୍ରେଜେରୀ ଅଧିକାରୀ ମଧୁସ୍ମିତା ପରିଜା ଏନପିଏସର ବିଭିନ୍ନ ବୈଶିଷ୍ଟ୍ୟ, ଡିଡିଓମାନଙ୍କ ଭୂମିକା ସହ ମୋବାଇଲ୍ ନମ୍ବର ଓ ଅନ୍ୟାନ୍ୟ ତଥ୍ୟ ଅପଡେଟ, ଟାୟାର-୧ ଓ -୨ ରେ ନିବେଶ ପ୍ରକ୍ରିୟା, ଗ୍ରାହକମାନଙ୍କ ଦ୍ୱାରା ପାଣ୍ଠି ଉଠାଣ ପ୍ରକ୍ରିୟା ଆଦି ବିଷୟରେ ବିସ୍ତୃତ ଉପସ୍ଥାପନା କରିଥିଲେ।ଏହି ଅବସରରେ ଜିଲ୍ଲାପାଳ ଡିଡିଓମାନଙ୍କୁ ନିଜର ୟୁଜର ଆଇଡି ଓ ପାସୱାର୍ଡ କୌଣସି ପରିସ୍ଥିତିରେ ଅନ୍ୟ କାହାଙ୍କ ସହ ସେୟାର ନ କରିବାକୁ କଡା ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ଯେ, ଏପରି ଅସାବଧାନତା ଲକ୍ଷ ଲକ୍ଷ ଓ କୋଟି କୋଟି ଟଙ୍କାର ସରକାରୀ ଧନର ଅନିୟମିତତା ଓ ଅପବ୍ୟୟ ପାଇଁ ଅବସର ସୃଷ୍ଟି କରେ। ସରକାରୀ ଧନର ସୁବ୍ୟବସ୍ଥିତ ପରିଚାଳନା ପାଇଁ ନଗଦ ପୁସ୍ତିକା (କ୍ୟାଶବୁକ୍) ସଠିକ ଭାବେ ରକ୍ଷାପୋଷଣ କରିବାକୁ ସେ ଡିଡିଓମାନଙ୍କୁ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ-ଜିଲ୍ଲାପାଳ ଶ୍ରୀମତୀ ସୁର୍ମି ସୋରେନ ସହ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦାନ କରିଥିଲେ।
![]()




