ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ପ୍ରବାସୀ ଶ୍ରମିକ ନିରାକରଣ ପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଝାରବନ୍ଧ ଗ୍ରାମରେ ପ୍ରବାସୀ ଶ୍ରମିକ ସଚେତନତା ସଭା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଝାରବନ୍ଧ ଗ୍ରାମ ପଞ୍ଚାୟତରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ପ୍ରବାସୀ ଶ୍ରମିକ ନିରାକରଣ ପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ବନ ଖଣ୍ଡ ଅଧିକାରୀ , ଖଡିଆଳ ଅଜିଜ ଖାନ,ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ସୁର୍ମି ସୋରେନ, ସି ଡି ଏମ୍ ଓ ଡଃ ଦ୍ବାରିକାନାଥ ଶତପଥୀ, ବିଡ଼ିଓ କାର୍ମୀ ଓରାମ , ତହସିଲଦାର ଉପାଞ୍ଜଳୀ ମାଝି,ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଶ୍ରୀମତୀ ମୀନା ଘିବେଲା, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ପୁଷ୍ପାଞ୍ଜଳୀ ଗୁଆଲ ,ସ୍ଥାନୀୟ ସରପଞ୍ଚ ବେଣୁଧର ହରିଜନ ପ୍ରମୁଖ ଅତିଥି ହିସାବରେ ଯୋଗଦେଇଥିଲେ l ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ସମସ୍ତ ଅତିଥି, ଅଧିକାରୀ ତଥା ଜନସାଧାରଣଙ୍କୁ ସ୍ବାଗତ କରି ସଭା ପରିଚାଳନା କରିଥିଲେ l ସଭାରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦେଇ ଶ୍ରମିକ, କୃଷକ, ମହିଳା ତଥା ଜନସାଧାରଣଙ୍କ ପାଇଁ ଥିବା ବିଭିନ୍ନ ବିଭାଗୀୟ ଲୋକାଭିମୁଖୀ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ
ନିଜ ଅଭିଭାଷଣରେ ଜିଲ୍ଲାପାଳ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ଲୋକଙ୍କୁ ବିଭିନ୍ନ ଜନ ମଙ୍ଗଳ ଯୋଜନାରେ ଯୋଡିବା ପାଇଁ ଆହ୍ବାନ ଦେଇଥିଲେ। ଜିଲ୍ଲାରେ ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ଲୋକଙ୍କ ସହଯୋଗିତା ଓ ସହଭାଗିତା ଉପରେ ଗୁରୁତ୍ୱ ଦେଇଥିଲେ। ସେ କହିଲେଯେ ,ନୂଆପଡା କେବେ ଦିନେ ଉପାନ୍ତ ଜିଲ୍ଲା ଥିଲା l କିନ୍ତୁ ଆମେ ସମସ୍ତେ ମିଶି ଏହାକୁ ସମ୍ଭ୍ରାନ୍ତ ଜିଲ୍ଲା କରି ଗଢି ତୋଳିବା l ପ୍ରବାସୀ ଶ୍ରମିକ ହିସାବରେ ଅନ୍ୟ ରାଜ୍ୟକୁ ନଯିବା ପାଇଁ ସମସ୍ତେ ପଣ କରନ୍ତୁ l ଯେଉଁମାନେ ଆଗରୁ ଶ୍ରମିକ ହିସାବରେ ଅନ୍ୟ ରାଜ୍ୟକୁ ଯାଇଥିଲେ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯିବ l ସମସ୍ତେ ମିଶି ନୂଆପଡ଼ାକୁ ପ୍ରବାସୀ ଶ୍ରମିକ ଏବଂ ପ୍ଲାଷ୍ଟିକ ମୁକ୍ତ ଜିଲ୍ଲାରେ ପରିଣତ କରିବା ପାଇଁ ସେ ଆହ୍ଵାନ ଦେଇଥିଲେ l ବନଖଣ୍ଡ ଅଧିକାରୀ ଅଜିଜ ଖାନ ଜଙ୍ଗଲ ନିଆଁର ଭୟାବହତା ଓ ବାୟୁ ପ୍ରଦୂଷଣ ଭଳି ପରିବେଶ ଉପରେ ବିଭିନ୍ନ କୁପ୍ରଭାବ ଉପରେ ଆଲକପାତ କରି ଲୋକଙ୍କୁ ସଚେତନ ହେବା ପାଇଁ ଆହ୍ବାନ ଦେଇଥିଲେ।ପ୍ରଥମେ ସମାରୋହରେ ଝିଅ ପାଇଁ ଗଛଟିଏ ଏବଂ ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଜିଲ୍ଲାପାଳ ନବ ଜାତକ ଶିଶୁ କନ୍ୟାକୁ କୋଳରେ ଧରି ତାହାର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ । ଶିଶୁର ପିତାମାତାଙ୍କୁ ଉପହାର ସହିତ ନୂତନ ବୃକ୍ଷ ଚାରା ପ୍ରଦାନ କରିଥିଲେ l ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଗାଁର ତିନି ଜଣ ଗର୍ଭବତୀ ମହିଳାଙ୍କୁ ଫଳମୂଳ, ପନିପରିବା, ପୃଷ୍ଟିକର ଖାଦ୍ୟ ଏବଂ ବିଭିନ୍ନ ଉପହାର ଅତିଥି ମାନେ ଭେଟି ଦେଇଥିଲେ l ପକ୍ଷୀ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଅତିଥିମାନେ ପକ୍ଷୀମାନଙ୍କ ପାଇଁ ବାସ,ଖାଦ୍ୟ ଓ ଜଳ ଯୋଗାଇ ଦେଇଥିଲେ l
ଶିବିରରେ ନିର୍ମାଣ ଶ୍ରମିକ ହିତାଧୀକାରୀ ମାନଙ୍କୁ ପରିଚୟ ପତ୍ର , ମୃତ୍ୟୁ କାଳୀନ ସହାୟତା ବିବାହ ସହାୟତା, ମାତୃତ୍ୱ ସହାୟତା, ଶିକ୍ଷା ସହାୟତା ଇତ୍ୟାଦି ପ୍ରଦାନ କରାଯାଇଥିଲା। ମନରେଗା ଯୋଜନାରେ ୩୦୦ ଦିନ ଏବଂ ୨୦୦ ଦିନ କାମ କରିଥିବା ଶ୍ରମିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା lଏହି ଶିବିରକୁ ସିନାପାଲି ବିଡ଼ିଓ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଏସ ଗୀତା, ସିନାପାଲି ସିଡିପିଓ ଉର୍ମିଳା ମହାପାତ୍ର ,ସ୍ଥାନୀୟ ସରପଞ୍ଚ, ବନ ବିଭାଗ, ପଞ୍ଚାୟତିରାଜ ବିଭାଗ ପ୍ରମୁଖ ଆୟୋଜନ କରିଥିଲେ।![]()



