ନୂଆପଡା ରେ “ବିକଶିତ ଗାଁ ବିକଶିତ ଓଡ଼ିଶା” ଯୋଜନାର ଜିଲ୍ଲାସ୍ତରୀୟ ପ୍ରକଳ୍ପ ଅନୁମୋଦନ ବୈଠକ ଅନୁଷ୍ଠିତ l ଶତ ପ୍ରତିଶତ ଲକ୍ଷ୍ୟ ହାସଲ ପାଇଁ ଜିଲ୍ଲା ପ୍ରଶାସନ ସଙ୍କଳ୍ପବଦ୍ଧ – ଜିଲ୍ଲାପାଳ l
ନୂଆପଡା ଜିଲ୍ଲାରେ “ବିକଶିତ ଗାଁ ବିକଶିତ ଓଡ଼ିଶା” ଯୋଜନା ଅନ୍ତର୍ଗତ ୨୦୨୬-୨୭ ବର୍ଷ ପାଇଁ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକର

ନୂଆପଡା ଜିଲ୍ଲାରେ “ବିକଶିତ ଗାଁ ବିକଶିତ ଓଡ଼ିଶା” ଯୋଜନା ଅନ୍ତର୍ଗତ୨୦୨୬-୨୭ ବର୍ଷ ପାଇଁ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକର ଅନୁମୋଦନ ନିମନ୍ତେ ଏକ ଜିଲ୍ଲାସ୍ତରୀୟ କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଖିରୋଦ କୁମାର ନାୟକ, ଆର୍ଡବ୍ଲ୍ୟୁଏସ୍ଏସ୍ ଅଧିକ୍ଷଣ ଯନ୍ତ୍ରୀ ପ୍ରହଲ୍ଲାଦ ସାହୁଙ୍କ ସହିତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲାପାଳ ସମସ୍ତଙ୍କୁ ସଂଵୋଧନ କରି କହିଲେ ଯେ, ଗ୍ରାମୀଣ ଓଡ଼ିଶାର ସାମଗ୍ରିକ ଉନ୍ନତି ଓ ଜୀବନମାନ ବୃଦ୍ଧିକୁ ଲକ୍ଷ୍ୟ କରି ରାଜ୍ୟ ସରକାରଙ୍କ ପକ୍ଷରୁ “ବିକଶିତ ଗାଁ ବିକଶିତ ଓଡ଼ିଶା” ଯୋଜନା ଆରମ୍ଭ କରାଯାଇଛି। ଏହି ଯୋଜନା ମାଧ୍ୟମରେ ଦୀର୍ଘସ୍ଥାୟୀ ଓ ଆବଶ୍ୟକତାଭିତ୍ତିକ ପ୍ରକଳ୍ପଗୁଡ଼ିକ ଗ୍ରହଣ କରାଯାଇ ସ୍ଥାୟୀ ସମ୍ପଦ ସୃଷ୍ଟି କରାଯିବ।

ଯୋଜନା ଅନ୍ତର୍ଗତ ଗ୍ରାମୀଣ ରାସ୍ତା, ସେତୁ, କଲଭର୍ଟ ଆଦିର ନିର୍ମାଣକୁ ପ୍ରାଥମିକତା ଦିଆଯିବ। ବିଶେଷ କରି ଆଦିମ ଜନଜାତି, ପିଭିଟିଜି (PVTG) ବସବାସ କରୁଥିବା ଅଞ୍ଚଳ, ନକ୍ସଲ ପ୍ରଭାବିତ ଓ ଦୁର୍ଗମ ପାହାଡ଼ିଆ ଅଞ୍ଚଳର ଅସଂଯୁକ୍ତ ଗାଁ/ବସତିଗୁଡ଼ିକୁ ସଡ଼କ ସଂଯୋଗ ସୁବିଧା ଯୋଗାଇବାକୁ ଗୁରୁତ୍ୱ ଦିଆଯିବ। ଗ୍ରାମ ସଂଯୋଗ ବ୍ୟବସ୍ଥାର ଉନ୍ନତି ରାଜ୍ୟର ଆର୍ଥିକ ଓ ସାମାଜିକ ଏକତା ପାଇଁ ଅତ୍ୟନ୍ତ ଆବଶ୍ୟକ ।ଜିଲ୍ଲାପାଳ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖି ପ୍ରକଳ୍ପ ଗୁଡ଼ିକର ସମୟସୀମାଭିତ୍ତିକ କାର୍ଯ୍ୟ ସମାପ୍ତି ଉପରେ ଗୁରୁତ୍ୱ ଦେଇଥିଲେ। ଯୋଜନାର ସଫଳ କାର୍ଯ୍ୟାନ୍ବୟନ ମାଧ୍ୟମରେ ଗ୍ରାମ ଉନ୍ନତିକୁ ତ୍ୱରାନ୍ବିତ କରି “ବିକଶିତ ଓଡ଼ିଶା” ଲକ୍ଷ୍ୟ ପ୍ରାପ୍ତିରେ ଜିଲ୍ଲା ପ୍ରଶାସନ ସଙ୍କଳ୍ପବଦ୍ଧ ବୋଲି ସେ କହିଥିଲେ।




