Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ସ୍ୱଚ୍ଛ ଟିମ୍‌ର ଅଗଷ୍ଟ ଅଭିଯାନ: ନିଷିଦ୍ଧ ପ୍ଲାଷ୍ଟିକ୍‌ ବିରୋଧରେ କଡ଼ା ପଦକ୍ଷେପ, ୧,୨୧୧ କିଲୋ ଏସ୍‌ୟୁପି ଜବତ ଓ ୩.୪୩ ଲକ୍ଷ ଟଙ୍କା ଜରିମାନା ଆଦାୟ

ସ୍ୱଚ୍ଛ ଟିମ୍‌ର ଅଗଷ୍ଟ ଅଭିଯାନ: ନିଷିଦ୍ଧ ପ୍ଲାଷ୍ଟିକ୍‌ ବିରୋଧରେ କଡ଼ା ପଦକ୍ଷେପ, ୧,୨୧୧ କିଲୋ ଏସ୍‌ୟୁପି ଜବତ ଓ ୩.୪୩ ଲକ୍ଷ ଟଙ୍କା ଜରିମାନା ଆଦାୟ

ନୂଆପଡ଼ା, ୦୧/୦୯: ଜିଲ୍ଲା ଖବର“ପ୍ଲାଷ୍ଟିକ୍‌କୁ ନା, ସ୍ୱଚ୍ଛତାକୁ ହଁ—ସ୍ୱଚ୍ଛ ନୂଆପଡ଼ା, ସୁସ୍ଥ ନୂଆପଡ଼ା।” ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶକ୍ରମେ ଚାଲିଥିବା ‘ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ (ଏସ୍‌ୟୁପି) ମୁକ୍ତ ନୂଆପଡ଼ା ଅଭିଯାନ’(SUP-Free Nuapada Campaign) ଅଧୀନରେ ଅଗଷ୍ଟ ମାସରେ ସ୍ୱଚ୍ଛ ଟିମ୍‌ ପକ୍ଷରୁ ବ୍ୟାପକ ସଚେତନତା, ସ୍ୱଚ୍ଛତା ଓ ଏନ୍‌ଫୋର୍ସମେଣ୍ଟ କାର୍ଯ୍ୟକ୍ରମ କରାଯାଇଛି। ନିଷିଦ୍ଧ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ ବ୍ୟବହାର ରୋକିବା ସହ ପ୍ଲାଷ୍ଟିକ୍‌ମୁକ୍ତ ନୂଆପଡ଼ା ଗଠନ ଉପରେ ଗୁରୁତ୍ୱ ଦିଆଯାଇଛି।

ଅଗଷ୍ଟ ମାସରେ ଜିଲ୍ଲାର ବିଭିନ୍ନ ବ୍ଲକ୍‌, ଏନ୍‌ଏସି ଓ ସାର୍ବଜନୀନ ସ୍ଥାନରେ ସ୍ୱଚ୍ଛ ଟିମ୍‌ଗୁଡ଼ିକ ୧୯୦ଟି ସଚେତନତା କାର୍ଯ୍ୟକ୍ରମ କରିଛନ୍ତି। ସ୍କୁଲ, କଲେଜ, ଅଙ୍ଗନବାଡ଼ି କେନ୍ଦ୍ର, ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସାର୍ବଜନୀନ ସ୍ଥାନରେ ପ୍ଲାଷ୍ଟିକ୍‌ର କୁପ୍ରଭାବ ଏବଂ ପରିବେଶ ଅନୁକୂଳ ବିକଳ୍ପ ବ୍ୟବହାର ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଛି। ଏଥିସହ ୧୩୭ଟି ପ୍ଲାଷ୍ଟିକ୍‌ ଆବର୍ଜନା ପ୍ରବଣ ସ୍ଥାନ ସଫା କରାଯାଇଛି।

ସ୍ୱଚ୍ଛତା ଅଭିଯାନ ସମୟରେ ମୋଟ ୨୪,୪୮୫ କିଲୋଗ୍ରାମ ପ୍ଲାଷ୍ଟିକ୍‌ ଆବର୍ଜନା ସଂଗ୍ରହ କରାଯାଇଛି। ଏଥିମଧ୍ୟରୁ ଖରିଆର ରୋଡ୍‌ ଏନ୍‌ଏସି ଅଞ୍ଚଳରୁ ୧୧,୭୫୦ କିଲୋଗ୍ରାମ ଏବଂ ଖରିଆର ଏନ୍‌ଏସିରୁ ୬,୮୦୦ କିଲୋଗ୍ରାମ ପ୍ଲାଷ୍ଟିକ୍‌ ଆବର୍ଜନା ସଂଗ୍ରହ ହୋଇଛି। ପ୍ଲାଷ୍ଟିକ୍‌ ଆବର୍ଜନାର ଉତ୍ସସ୍ଥଳରେ ନିୟନ୍ତ୍ରଣ, ସଂଗ୍ରହ ଓ ସଠିକ୍‌ ପରିଚାଳନା ଉପରେ ମଧ୍ୟ ଟିମ୍‌ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି।

ନିଷିଦ୍ଧ SUP ବିରୋଧରେ ଏନ୍‌ଫୋର୍ସମେଣ୍ଟକୁ ଅଧିକ କଡ଼ା କରାଯାଇଛି। ଅଗଷ୍ଟ ମାସରେ ୧,୨୧୧.୫ କିଲୋଗ୍ରାମ ନିଷିଦ୍ଧ SUP ଜବକରାଯାଇଥିବାବେଳେ ନିୟମ ଉଲ୍ଲଂଘନକାରୀଙ୍କଠାରୁ ମୋଟ ୩,୪୩,୮୫୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ନୂଆପଡ଼ା ବ୍ଲକ୍‌ରେ ୨,୪୮,୩୦୦ ଟଙ୍କା ଏବଂ କୋମନା ବ୍ଲକ୍‌ରେ ୭୨,୨୫୦ ଟଙ୍କା ଜରିମାନା ଆଦାୟ ହୋଇଛି। ନିଷିଦ୍ଧ ପ୍ଲାଷ୍ଟିକ୍‌ ବ୍ୟବହାର ବିରୋଧରେ “ନିୟମ ଭାଙ୍ଗିଲେ ଜରିମାନା ନିଶ୍ଚିତ” ବାର୍ତ୍ତା ଦିଆଯାଇଛି।ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନରେ ମଧ୍ୟ ନିୟମିତ ଯାଞ୍ଚ କରାଯାଇଛି। ମୋଟ ୬୮୨ଟି ଦୋକାନ, ଷ୍ଟକିଷ୍ଟ ଓ ମାର୍କେଟ୍‌ ପରିଦର୍ଶନ କରାଯାଇ ବ୍ୟବସାୟୀମାନଙ୍କୁ ନିଷିଦ୍ଧ ପ୍ଲାଷ୍ଟିକ୍‌ ପରିବର୍ତ୍ତେ କପଡ଼ା ବ୍ୟାଗ୍‌, ଖଲି, ଦୋନା ଭଳି ପରିବେଶ ଅନୁକୂଳ ବିକଳ୍ପ ଗ୍ରହଣ କରିବାକୁ ସଚେତନ କରାଯାଇଛି।ନିଷିଦ୍ଧ SUPର ବିକଳ୍ପ ସାମଗ୍ରୀର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ SHG/PGମାନଙ୍କ ସହ ୩୨ଟି ସମନ୍ୱୟ ବୈଠକ କରାଯାଇଛି। ସ୍ଥାନୀୟ ସ୍ୱୟଂସହାୟକ ଗୋଷ୍ଠୀମାନଙ୍କ ମାଧ୍ୟମରେ ପରିବେଶ ଅନୁକୂଳ ବିକଳ୍ପ ସାମଗ୍ରୀର ପ୍ରଚାର ଓ ବ୍ୟବହାର ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି।ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷିଦ୍ଧ ପ୍ଲାଷ୍ଟିକ୍‌ ବ୍ୟବହାର ବନ୍ଦ କରିବା ସହ ପ୍ଲାଷ୍ଟିକ୍‌ ଆବର୍ଜନାର ସଠିକ୍‌ ସଂଗ୍ରହ, ପୃଥକୀକରଣ ଓ ପରିଚାଳନା ପାଇଁ ନିୟମିତ ଅଭିଯାନ ଜାରି ରହିବ। ସଚେତନତା, ସ୍ୱଚ୍ଛତା, କଡ଼ା ଏନ୍‌ଫୋର୍ସମେଣ୍ଟ ଓ ଜନଭାଗିଦାରୀକୁ ଏକତ୍ର କରି ‘SUP-Free Nuapada’ ଗଠନ ଦିଗରେ ଜିଲ୍ଲା ପ୍ରଶାସନ ଆଗେଇ ଚାଲିଛି।“ଆଜି ପ୍ଲାଷ୍ଟିକ୍‌କୁ ନା କହିବା, ଆସନ୍ତାକାଲି ପରିବେଶକୁ ବଞ୍ଚାଇବା। ସ୍ୱଚ୍ଛ ନୂଆପଡ଼ା ଗଠନ କେବଳ ପ୍ରଶାସନର ଦାୟିତ୍ୱ ନୁହେଁ—ଏହା ପ୍ରତ୍ୟେକ ନାଗରିକଙ୍କ ସାମୂହିକ ସଙ୍କଳ୍ପ।”

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!