ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମହିଳାଙ୍କ ମୃତ୍ୟୁ: ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ଅଭିଯୋଗ ଆଣି ପରିବାର
ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମହିଳାଙ୍କ ମୃତ୍ୟୁ: ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ଅଭିଯୋଗ ଆଣି ପରିବାର

ନୂଆପଡା ୨୯ ୮ ଜିଲ୍ଲା ଖବର ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିବା ପରେ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ଡାକ୍ତରଙ୍କ ଭୁଲ ଚିକିତ୍ସା ତଥା ଭୁଲ ଇଞ୍ଜେକ୍ସନ ଯୋଗୁଁ ତାଙ୍କର ପ୍ରାଣହାନି ଘଟିଥିବା ପରିବାର ଲୋକେ ଅଭିଯୋଗ କରି ଡାକ୍ତରଖାନା ସମ୍ମୁଖରେ ଧାରଣାରେ ବସିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, କୋମନା ବ୍ଲକ ପଣ୍ଡରାପଥର ଗ୍ରାମର ଲଛତି ମାଝୀ ଜ୍ୱରରେ ଆକ୍ରାନ୍ତ ହେବାରୁ ଗତ ୨୫ ତାରିଖ ଦିନ ତାଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଆଜି ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା ଓ ପରେ ତାଙ୍କର ମୃତ୍ୟୁ ଘଟିଥିଲା।
ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଡ୍ୟୁଟିରେ ଥିବା ଡାକ୍ତର ଏକ ଭୁଲ ଇଞ୍ଜେକ୍ସନ ଦେବା ଫଳରେ ହିଁ ମହିଳାଙ୍କ ଜୀବନ ଚାଲିଯାଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ ଦୋଷୀ ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ଉପଯୁକ୍ତ କ୍ଷତିପୂରଣ ଦାବି କରି ପରିବାର ବର୍ଗ ଧାରଣାରେ ବସି ରହିଛନ୍ତି।




