୬୪ ବର୍ଷ ପରେ ୬୫ତମ ସାହାନୀ କପ୍: ନୂଆପଡ଼ା ଓ ଖଡ଼ିଆଳରେ ଅନୁଷ୍ଠିତ ହେବ ଐତିହାସିକ ଫୁଟବଲ୍ ମହାକୁମ୍ଭ, ଫିକ୍ସଚର ଘୋଷିତ
୬୪ ବର୍ଷ ପରେ ୬୫ତମ ସାହାନୀ କପ୍: ନୂଆପଡ଼ା ଓ ଖଡ଼ିଆଳରେ ଅନୁଷ୍ଠିତ ହେବ ଐତିହାସିକ ଫୁଟବଲ୍ ମହାକୁମ୍ଭ, ଫିକ୍ସଚର ଘୋଷିତ

ଖଡ଼ିଆଳ, ୧୨ ୯ଜିଲ୍ଲା ଖବର ଓମ ପ୍ରକାଶ ଚୌଧୁରୀ
ଦୀର୍ଘ ୬୪ ବର୍ଷର ବ୍ୟବଧାନ ପରେ ନୂଆପଡ଼ା ଜିଲ୍ଲାରେ ପୁଣି ଥରେ ଫୁଟବଲ୍ର ଐତିହାସିକ ଉତ୍ସାହ ଦେଖିବାକୁ ମିଳିବ। ଫୁଟବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶା (FAO) ଏବଂ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ତଥା ନୂଆପଡ଼ା ଜିଲ୍ଲା ଫୁଟବଲ୍ ଆସୋସିଏସନ୍ ସହଯୋଗରେ ୬୫ତମ ସିନିୟର ପୁରୁଷ ଅନ୍ତଃ-ଜିଲ୍ଲା ଫୁଟବଲ୍ ଚାମ୍ପିଅନସିପ୍ “ସାହାନୀ କପ୍ ୨୦୨୬-୨୭” ଆୟୋଜିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ନୂଆପଡ଼ା ଓ ଖଡ଼ିଆଳ ଜୋନ୍ର ଖେଳ ସୂଚୀ (ଫିକ୍ସଚର) ଶନିବାର ଖଡ଼ିଆଳ ବ୍ଲକ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ଆୟୋଜକ କମିଟି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଜୋନ୍ରେ ମୋଟ ୮ଟି ଜିଲ୍ଲା ଭାଗ ନେଉଥିବା ବେଳେ ସେମାନଙ୍କୁ ଦୁଇଟି ଗ୍ରୁପ୍ରେ ବିଭକ୍ତ କରାଯାଇଛି। ଗ୍ରୁପ୍- ଏ (ନୂଆପଡ଼ା ମିନି ଷ୍ଟାଡିୟମ୍): ସମ୍ବଲପୁର, ନବରଙ୍ଗପୁର, ରାୟଗଡ଼ା ଓ କଳାହାଣ୍ଡି। ଗ୍ରୁପ୍- ବି (ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଡ଼ିଆ): କୋରାପୁଟ, କନ୍ଧମାଳ, ନୂଆପଡ଼ା ଓ ମାଲକାନଗିରି।
୨୩ ସେପ୍ଟେମ୍ବର: ସମ୍ବଲପୁର ବନାମ ନବରଙ୍ଗପୁର, ରାୟଗଡ଼ା ବନାମ କଳାହାଣ୍ଡି (ନୂଆପଡ଼ା)
୨୪ ସେପ୍ଟେମ୍ବର: କୋରାପୁଟ ବନାମ କନ୍ଧମାଳ, ନୂଆପଡ଼ା ବନାମ ମାଲକାନଗିରି (ଖଡ଼ିଆଳ) ୨୫ ସେପ୍ଟେମ୍ବର: ନବରଙ୍ଗପୁର ବନାମ ରାୟଗଡ଼ା, କଳାହାଣ୍ଡି ବନାମ ସମ୍ବଲପୁର (ନୂଆପଡ଼ା) ୨୬ ସେପ୍ଟେମ୍ବର: କନ୍ଧମାଳ ବନାମ ନୂଆପଡ଼ା, ମାଲକାନଗିରି ବନାମ କୋରାପୁଟ (ଖଡ଼ିଆଳ)
୨୭ ସେପ୍ଟେମ୍ବର: ସମ୍ବଲପୁର ବନାମ ରାୟଗଡ଼ା, କଳାହାଣ୍ଡି ବନାମ ନବରଙ୍ଗପୁର (ନୂଆପଡ଼ା) ୨୮ ସେପ୍ଟେମ୍ବର: କନ୍ଧମାଳ ବନାମ ମାଲକାନଗିରି, ନୂଆପଡ଼ା ବନାମ କୋରାପୁଟ (ଖଡ଼ିଆଳ) ୩୦ ସେପ୍ଟେମ୍ବର (ଜୋନ୍ ଫାଇନାଲ୍): ଅପରାହ୍ନ ୪ଟାରେ ଗ୍ରୁପ୍-ଏ ବିଜେତା ଓ ଗ୍ରୁପ୍-ବି ବିଜେତାଙ୍କ ମଧ୍ୟରେ ଫାଇନାଲ୍ ମୁକାବିଲା ଅନୁଷ୍ଠିତ ହେବ।
ଏହି ସାମ୍ବାଦିକ ସମ୍ମିଳନୀରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଏଭଳି ଏକ ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବା ଫଳରେ ସ୍ଥାନୀୟ କ୍ରୀଡ଼ାବିତଙ୍କ ମନୋବଳ ବୃଦ୍ଧି ପାଇବ ଏବଂ ଜିଲ୍ଲାର କ୍ରୀଡ଼ା କ୍ଷେତ୍ରରେ ନୂତନ ଜୋସ୍ ସୃଷ୍ଟି ହେବ କାର୍ଯ୍ୟକ୍ରମରେ ଜିଲ୍ଲା ଫୁଟବଲ୍ ସଂଘ ସଭାପତି ଭୈରବ ସାହୁ, ସମ୍ପାଦକ ପ୍ରକାଶ ସାହୁ, ଉପସଭାପତି ସୁଧୀର ମିଶ୍ର, ଫୁଟବଲ୍ ମହାକୁମ୍ଭ ସଭାପତି ସନ୍ତୋଷ ପଟ୍ଟନାୟକ, ସମ୍ପାଦକ ଜିତେନ୍ଦ୍ର ନାଥ ପଟ୍ଟନାୟକ, ବିଶ୍ୱଜିତ୍ ପାଢ଼ୀଙ୍କ ସମେତ ଆୟୋଜକ କମିଟିର ସଦସ୍ୟ, ରେଫ୍ରୀ ଓ ବହୁ କ୍ରୀଡ଼ାପ୍ରେମୀ ଉପସ୍ଥିତ ଥିଲେ।




