
ନୂଆପଡ଼ା,୩୦୪ (ଜିଲ୍ଲା ଖବର ଓମ ପ୍ରକାଶ ଚୌଧୁରୀ ):ନୂଆପଡ଼ା ଜିଲା କୋମନା ବ୍ଲକ୍ ମାନିଗୁଡ଼ା ପଞ୍ଚାୟତ ନାଏକପଡ଼ା ଗାଁର ଜଣେ ଭିନ୍ନକ୍ଷମ ଯୁବତୀ ବିଭିନ୍ନ ସମସ୍ୟା ନେଇ ବୁଧବାର ଜିଲାପାଳଙ୍କ ଦ୍ବାରସୁ ହୋଇଛନ୍ତି। ଗାଁର ମକରନ ହଂସଙ୍କ କନିଷ୍ଠ ଝିଅ ଭିନ୍ନକ୍ଷମ ରୀନା ହଂସ (୨୯)। ତାଙ୍କ ଉଚ୍ଚତା ମାତ୍ର ୩ ଫୁଟ। ସରକାରୀ ସୁବିଧା କହିଲେ କେବଳ ଭିନ୍ନକ୍ଷମ ମାସିକ ଭତ୍ତା ୧୨ ଶହ ଟଙ୍କା ବ୍ୟତୀତ ଅନ୍ୟ କୌଣସି ସୁବିଧା ପାଉନାହାନ୍ତି। ସେ କୌଣସି କାର୍ଯ୍ୟ କରୁ ନ ଥିବାରୁ ଭାଇମାନେ ତାଙ୍କୁ ଖାଇବା ପାଇଁ ଦେଉନାହାନ୍ତି। ବାପାଙ୍କ ପାଖରେ ରହି ମାସକୁ ୧୨ ଶହ ଟଙ୍କାରେ ଚଳିବା କଷ୍ଟକର ହୋଇ ପଡୁଛି। ଭିନ୍ନକ୍ଷମ ଓ କମ୍ ଉଚ୍ଚତା ଥୂବାରୁ କୌଣସି ଓଜନିଆ କାମ କରିବା ସମ୍ଭବ ନୁହେଁ। ସେ ଅନେକଥର ୩ ଚକିଆ ସାଇକେଲ ପାଇଁ ଆବେଦନ କରିଥିଲେ ମଧ୍ୟ ପାଇନାହାନ୍ତି। କୌଣସି ଦୂରଦୂରାନ୍ତିକୁ ଯିବାକୁ ହେଲେ ଅନ୍ୟର ସାହାରା ନେଉଛନ୍ତି। ଭିନ୍ନକ୍ଷମ ହୋଇଥିବାରୁ ୩ ଚକିଆ ସାଇକେଲ, ଆବାସ ଗୃହ, ରାଶନ କାର୍ଡ ସହ ଅନ୍ୟାନ୍ୟ ସୁବିଧା ପାଇବା କଥା। ହେଲେ ରୀନାଙ୍କ ପାଇଁ ଏହା ସାତସପନ ପାଲଟିଛି ା ରିନା ୨୦୨୪ରେ ଯୁକ୍ତ ୨ ପାସ୍ କରି ଘରେ ବସି ରହିଛନ୍ତି। ୨୦୨୫ ଏପ୍ରିଲ ୧୦ରେ ସେ ଜିଲାପାଳଙ୍କୁ ସାକ୍ଷାତକରି ବିଭିନ୍ନ ସମସ୍ୟା ଜଣାଇଥିଲେ। ଜିଲାପାଳ ପତ୍ରସଂଖ୍ୟା ୬୪୬୪6 ୪ରେ ତାଙ୍କୁ କୌଣସି ବିଭାଗରେ ଥଇଥାନ କରିବା ପାଇଁ କୋମନା ବିଡିଓ, ଜିଲା ଯୋଗାଣ ଅଧୂକାରୀ ଓ ଜିଲା ନିଯୁକ୍ତି ଅଧୂକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବର୍ଷେ ବିତିଯାଇଥିଲେ ମଧ୍ୟ ସୁଫଳ ମିଳି ନ ଥିବାରୁ ବୁଧବାର ପୁଣି ଜିଲାପାଳଙ୍କ ଦ୍ବାରସୁ ହୋଇଛନ୍ତି ଜିଲାପାଳ କୌଣସି କାର୍ଯ୍ୟରେ ଯାଇଥିବାରୁ ଡାକ ଯୋଗେ ଦାବିପତ୍ର ଦେଇ ଫେରିଯାଇଛନ୍ତି। କୌଣସି ସରକାରୀ ବା ବେସରକାରୀ କାର୍ଯ୍ୟରେ ଥଇଥାନ କଲେ ଭଲରେ ଚଳିପାରିବେ ବୋଲି ଆଶା ରଖୂ ଆସିଥିଲେ ବୋଲି ରିନା କହିଥିଲେ। ଏହି ସମୟରେ ତାଙ୍କ ବାପାଙ୍କ ସହ ସକ୍ଷମ ଭିନ୍ନକ୍ଷମ ସଂଗଠନ ଜିଲା ସଭାପତି ଭକ୍ତବନ୍ଧୁ ଧରୁଆ, ବ୍ଲକ୍ ସଭାପତି ପଦ୍ମନ ମାଝି, ଶୁକଦେବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।




