ଲଗାଣ ବର୍ଷାରେ ଭାଙ୍ଗିଲା କାନ୍ଥ:
ଅଳ୍ପକେ ବର୍ତ୍ତିଲେ ମା’ ଓ ଦୁଇ ଝିଅ, ସରକାରୀ ସହାୟତା ପାଇଁ ଆକୁଳ ନିବେଦନ

ନୂଆପଡା (ଜିଲ୍ଲା ଖବର ଲାଇଭ ), ୨୯/୦୭: ନୂଆପଡ଼ା ଜିଲ୍ଲାରେ ବିଗତ କିଛି ଦିନ ହେବ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଥିବା ବେଳେ ଏହା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ଏହି ଲଗାଣ ବର୍ଷା ଯୋଗୁଁ ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଲଛିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗ୍ରାମର ସୁମନ୍ତ ମହାନ୍ତିଙ୍କ ମାଟିଘର କାନ୍ଥ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ବେଳେ ଏକ ବଡ଼ ଧରଣର ବିପଦରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାର ଲୋକେ।
ମିଳିଥିବା ସୂଚନା ମୁତାବକ, ଗତକାଲି ରାତିରେ ସୁମନ୍ତ ମହାନ୍ତିଙ୍କ ସ୍ତ୍ରୀ ଅନିତା ମହାନ୍ତି ଏବଂ ତାଙ୍କର ଦୁଇ ଝିଅ ଘର ଭିତରେ ଶୋଇଥିଲେ। ବିଳମ୍ବିତ ରାତିରେ ଅବିଶ୍ରାନ୍ତ ବର୍ଷା ଯୋଗୁଁ ମାଟି କାନ୍ଥଟି ଓଦା ହୋଇ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ତେବେ ସୌଭାଗ୍ୟବଶତଃ ମା’ ଓ ଦୁଇ ଝିଅ ଏହି ଦୁର୍ଘଟଣାରୁ ସୁରକ୍ଷିତ ଭାବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଘରଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବାରୁ ପରିବାରର ସମସ୍ତ ଆସବାବପତ୍ର ଓ ଜରୁରୀ ସାମଗ୍ରୀ ନଷ୍ଟ ହୋଇଯାଇଛି। ବର୍ତ୍ତମାନ ଏହି ଅସହାୟ ପରିବାର ପାଖରେ ରହିବା ପାଇଁ ମୁଣ୍ଡ ଉପରେ ଛାତଟିଏ ନଥିବାରୁ ସେମାନେ ଖୋଲା ଆକାଶ ତଳେ ଦିନ କାଟୁଛନ୍ତି। ଗରିବ ଓ ଅସହାୟ ହୋଇଥିବାରୁ ସରକାରଙ୍କ ତରଫରୁ ତୁରନ୍ତ ତ୍ରାଣ ସହାୟତା ଓ ପକ୍କା ଘର ଯୋଗାଇ ଦେବା ପାଇଁ ଆକୁଳ ନିବେଦନ କରିଛନ୍ତି। ଏଥିସହିତ ସ୍ଥାନୀୟ ପ୍ରଶାସନ ତୁରନ୍ତ ଘଟଣାସ୍ଥଳ ଅନୁଧ୍ୟାନ କରି କ୍ଷତିପୂରଣ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।




