ନୂଆପଡ଼ା ୩୫୩ ନଂ ଜାତୀୟ ରାଜପଥରେ ବନ୍ୟା ଜଳ:
ଯାତାୟାତ ବାଧାପ୍ରାପ୍ତ, ସତର୍କ ରହିବାକୁ ଚାଳକଙ୍କୁ ପରାମର୍ଶ

ନୂଆପଡ଼ା (ଜିଲ୍ଲା ଖବର ଲାଇଭ ), ୨୯/୦୭: ନୂଆପଡ଼ା ଜିଲ୍ଲାରେ ବିଗତ କିଛି ଦିନ ହେବ ଲଗାଣ ଲଘୁଚାପ ଜନିତ ବର୍ଷା ଜାରି ରହିଥିବା ବେଳେ ଏହାର ଗମ୍ଭୀର ପ୍ରଭାବ ଜନଜୀବନ ଓ ଯାତାୟାତ ଉପରେ ପଡ଼ିଛି। ମଙ୍ଗଳବାର ଅପରାହ୍ନରୁ ବର୍ଷାର ପରିମାଣ ବୃଦ୍ଧି ପାଇବା ଫଳରେ ୩୫୩ ନମ୍ବର ଜାତୀୟ ରାଜପଥର ପାଳସିପାନି ଏବଂ ବଞ୍ଜରି ଗ୍ରାମ ମଝିରେ ବନ୍ୟାଜଳ ରାସ୍ତା ଉପରେ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି।
ରାଜପଥ ଉପରେ ଆଣ୍ଠୁଏ ଉଚ୍ଚର ବର୍ଷାଜଳ ପ୍ରବାହିତ ହେଉଥିବାରୁ ଏହି ଗୁରୁତ୍ୱପୂର୍ଣ୍ଣ ମାର୍ଗରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ରାସ୍ତାର ଦୁଇ ପାର୍ଶ୍ୱରେ ଶହ ଶହ ଗାଡ଼ିମୋଟର, ବିଶେଷ କରି ମାଲବାହୀ ଟ୍ରକ ଓ ବସ ଅଟକି ରହିଥିବାରୁ ଯାତ୍ରୀମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି।ସ୍ଥାନୀୟ ପ୍ରଶାସନ ଓ ଦମକଳ ବାହିନୀ ପରିସ୍ଥିତି ଉପରେ ନଜର ରଖିଛନ୍ତି। ଯାତ୍ରୀ ଓ ଗାଡ଼ି ଚାଳକଙ୍କୁ ଆବଶ୍ୟକ ସୁରକ୍ଷା ନିୟମ ପାଳନ କରିବା ସହ ବିପଦପୂର୍ଣ୍ଣ ଭାବେ ପାଣିରେ ଗାଡ଼ି ନ ଚଳାଇବାକୁ ପ୍ରଶାସନ ତରଫରୁ ବିଶେଷ ଆହ୍ୱାନ କରାଯାଇଛି। ଅତ୍ୟାବଶ୍ୟକ କାମ ନଥିଲେ ଏହି ମାର୍ଗରେ ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଇଛି।




