ନିମ୍ନମାନର ରାସ୍ତା କାମକୁ ନେଇ ଲକ୍ଷ୍ମୀପୁର ବ୍ଳକରେ ଦୁର୍ନୀତି ହୁଲୁସ୍ଥୁଲ, ବିଧାୟକଙ୍କ କଢ଼ା ନିର୍ଦ୍ଦେଶ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ରାସ୍ତା ନିର୍ମାଣରେ ମାଟି, ଗିଟି ଓ ବିଟୁମିନ୍ର ମାନ ଅତ୍ୟନ୍ତ ନିମ୍ନ ଥିବା ସତ୍ତ୍ୱେ ବିଲ୍ ପାସ୍ କରାଯାଉଛି।

କୋରାପୁଟ, ୪ ୩ ଜିଲ୍ଲା ଖବର ଲକ୍ଷ୍ମୀପୁର ବ୍ଲକରେ ଆର୍ଡି ବିଭାଗ ଦ୍ୱାରା ନିର୍ମାଣାଧୀନ ରାସ୍ତା କାମରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ ଅଞ୍ଚଳ ବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସାନ କେଲାର ଠାରୁ ମଉଲକଣା, ବଡ଼ କେଲାର ଠାରୁ ଜାମିରି ଏବଂ ସର୍ଗିଗୁଡ଼ା ଠାରୁ ତୁନପାର ରାସ୍ତାରେ ହେଉଥିବା କାମକୁ ଦେଖି ଲୋକେ ଅଭିଯୋଗ କରିଛନ୍ତି ଯେ, କାଗଜରେ ଉନ୍ନତ ମାନର କାମ ଦେଖାଯାଉଥିଲେ ମଧ୍ୟ, ପ୍ରକୃତରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରି ଲକ୍ଷାଧିକ ଟଙ୍କାର ଘୋଟାଳା କରାଯାଉଛି।ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ରାସ୍ତା ନିର୍ମାଣରେ ମାଟି, ଗିଟି ଓ ବିଟୁମିନ୍ର ମାନ ଅତ୍ୟନ୍ତ ନିମ୍ନ ଥିବା ସତ୍ତ୍ୱେ ବିଲ୍ ପାସ୍ କରାଯାଉଛି। କେତେକ ସ୍ଥାନରେ ନୂଆ ରାସ୍ତା କାମ ସମାପ୍ତ ହେବା ପୂର୍ବରୁ ଫାଟି ଯାଇଥିବା ଦୃଶ୍ୟ ଦେଖି ଲୋକେ ଏହାକୁ “ଦୁର୍ନୀତିର ଜୀବନ୍ତ ପ୍ରମାଣ” ବୋଲି ଅଭିହିତ କରିଛନ୍ତି।ଏହି ଗୁରୁତର ଅଭିଯୋଗକୁ ଭିତ୍ତି କରି ମାନ୍ୟବର ବିଧାୟକ ପବିତ୍ର ସାଉଁନ୍ତା ସ୍ୱୟଂ ରାସ୍ତା କାମର ସ୍ଥଳ ପରିଦର୍ଶନ କରି ସତ୍ୟାବସ୍ଥା ଅନୁଧ୍ୟାନ କରିଥିଲେ। ପରିଦର୍ଶନ ସମୟରେ ସେ ନିମ୍ନମାନର କାମ ଦେଖି ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ସଂପୃକ୍ତ ଠିକାଦାରଙ୍କୁ କଢ଼ା ଭାଷାରେ ସଚେତନ କରିଥିଲେ।ବିଧାୟକ ମହୋଦୟ ସ୍ପଷ୍ଟ କହିଥିଲେ ଯେ, ଲୋକଙ୍କ ଟଙ୍କାରେ ହେଉଥିବା ଉନ୍ନୟନ କାମରେ ଯଦି ଦୁର୍ନୀତି ପ୍ରମାଣିତ ହୁଏ, ତେବେ ଦୋଷୀ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ କଢ଼ାକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାସହ ରାସ୍ତା କାମକୁ ପୁନଃ ଉନ୍ନତ ମାନରେ କରିବାକୁ ସେ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।ଅଞ୍ଚଳବାସୀଙ୍କ ମତରେ, ଯଦି ଏହି ଦୁର୍ନୀତିର ସଠିକ ତଦନ୍ତ ହୁଏ, ତେବେ ବଡ଼ ଘୋଟାଳାର ପର୍ଦାଫାସ ହେବ। ଲୋକେ ଦାବି କରିଛନ୍ତି ଯେ ରାସ୍ତା କାମରେ ହୋଇଥିବା ଅନିୟମିତତା ଉପରେ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀଙ୍କୁ କଢ଼ା ଶାସ୍ତି ଦିଆଯାଉ, ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ସତର୍କ। ଏସଂପର୍କରେ ବିଭାଗୀୟ ଜେଇ ଏବଂ ଏସ୍ ଡିଓ ଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ବି ବିଫଳ ହୋଇଥିବାର ଦେଖିବାକୁ ମିଳିଛି।




