
ମଇ ୯ରୁ ମହାତ୍ମା ଗାନ୍ଧୀ ସମତା ଯାତ୍ରା
ପେପରମ୍ୟାନ୍ ମିଡିଆ ମହାତ୍ମା ଗାନ୍ଧୀଙ୍କ ହରିଜନ ପଦଯାତ୍ରାର ପ୍ରସ୍ତାବିତ ପୁନଃପ୍ରଦର୍ଶନ “ମହାତ୍ମା ଗାନ୍ଧୀ ସମତା ଯାତ୍ରା” ଭାବରେ ନାମିତ କରାଯିବା ସହ ତାହା ଆସନ୍ତା ମଇ ୯ ତାରିଖରୁ ସିଂହଦ୍ଵାରଠାରୁ ଆରମ୍ଭ ହୋଇ ୧୨ ତାରିଖ ଦିନ କଟକରେ ଶେଷ ହେବ ବୋଲି ଜଣାଯାଇଛି। ଇନଟାକ ପୁରୀ ଶାଖା ଆବାହକ ସୁବାଷ ରଥ ଜଣାଇଛନ୍ତି। ମେ ୭ ତାରିଖ ଦିନ ଉଦଘାଟନ ହୋଇଥିବା ପୁରୀ ଅଧ୍ୟାୟର ଏହା ପ୍ରଥମ କାର୍ଯ୍ୟକ୍ରମ । ୧୯୩୪ ମସିହାର ୯ ମଇରେ ମହାତ୍ମା ପୁରୀରୁ ଏହି ମହାନ ଐତିହାସିକ ପଦଯାତ୍ରା ଆରମ୍ଭ କରିଥିଲେ। ଯାତ୍ରା ୧୬ ମଇରେ କଟକରେ ଶେଷ ହୋଇଥିଲା, ତଥାପି ଆମେ ଚାରି ଦିନରେ ଏହି ଦୂରତା ଅତିକ୍ରମ କରି ୧୨ ମଇରେ ଏହାକୁ ଶେଷ କରିବୁ ବୋଲି ସେ କହିଛନ୍ତି। ନିମ୍ନଲିଖିତ ସ୍ଥାନଗୁଡ଼ିକରେ ସଭା, ରହଣି ଏବଂ ରାତ୍ରି ରହଣି ହେବ। ଏଥିରେ ହରେକୃଷ୍ଣପୁର, ଚନ୍ଦନପୁର, ଗୋପୀନାଥପୁର, ଶିବାଲିଛକ, ବିରପୁରୁଷୋତମପୁର, ବିରଗୋବିନ୍ଦପୁର, କାଦୁଆ, ସାଖିଗୋପାଳ, ଦାଣ୍ଡମୁକୁନ୍ଦପୁର, ସିଓଲା, ପିପିଲି, ବାଳକାଟି, ସତ୍ୟଭାମାପୁର, ବାଲିଅନ୍ତା, ତେଲେଙ୍ଗାପେଣ୍ଠ, କାଜିପାଟଣା ଅନ୍ତର୍ଭୁକ୍ତ। କଟକରେ କାଠଯୋଡି ନଦୀ କୂଳରେ ଏକ ସାଧାରଣ ସଭାରେ ଏହି ଯାତ୍ରା ଶେଷ ହେବ।ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ରାଜ୍ୟ ଏବଂ ଦେଶ ବିଭିନ୍ନ ସ୍ଥାନରୁ ଇନଟାକ ସଦସ୍ୟମାନଙ୍କୁ ନିମନ୍ତ୍ରଣ କରାଯାଇଛି। ହରିଜନ ସେବକ ସଂଘ, ଗାନ୍ଧୀ ସ୍ମାରକ ନିଧି, ଗାନ୍ଧୀ ଶାନ୍ତି ଫାଉଣ୍ଡେସନ୍, ସର୍ବୋଦୟ ମଣ୍ଡଳ, ଲୋକ ସେବକ ମଣ୍ଡଳ, ସତ୍ୟବାଦୀ ବନ ବିଦ୍ୟାଳୟ, ସ୍ୱରାଜ ଆଶ୍ରମ, ଉତ୍କଳ ସର୍ବୋଦୟ ସମିତି, ଗାନ୍ଧୀ ରିସର୍ଚ ଫାଉଣ୍ଡେସନ ଭଳି ଗାନ୍ଧୀବାଦୀ ସଂଗଠନଗୁଡ଼ିକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।ଓଡ଼ିଶା ଖଦି ଏବଂ ଗ୍ରାମୋଦ୍ୟୋଗ କମିଶନ, ଓଡ଼ିଶା ଖଦି ଏବଂ ଗ୍ରାମୋଦ୍ୟୋଗ ବୋର୍ଡ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ଗାନ୍ଧୀବାଦୀ ଅଧ୍ୟୟନ ବିଭାଗ ମଧ୍ୟ ଯୋଗଦେବେ ବୋଲି ଜଣାଯାଇଛି।




