କୋମନା ବ୍ଲକ ଘୁଡ଼ସର୍ ଗ୍ରାମରେ ବନ୍ୟା ପରିସ୍ଥିତି: ୪ଟି ପରିବାରର ୨୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କଲା ପ୍ରଶାସନ
କୋମନା ବ୍ଲକ ଘୁଡ଼ସର୍ ଗ୍ରାମରେ ବନ୍ୟା ପରିସ୍ଥିତି: ୪ଟି ପରିବାରର ୨୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କଲା ପ୍ରଶାସନ

ନୂଆପଡ଼ା (ଜିଲ୍ଲା ଖବର ଲାଇ ଭ ), ୨୯/୦୭: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଘୁଡ଼ସର୍ ଗ୍ରାମରେ ସାଂଘାତିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ଓ ଜଳବନ୍ଦୀ ଯୋଗୁଁ ଗ୍ରାମର କେତେକ ଅଞ୍ଚଳରେ ପାଣି ପଶିଯାଇ ଜନଜୀବନ ସମ୍ପୂର୍ଣ୍ଣ ବ୍ୟାହତ ହୋଇପଡ଼ିଛି।
ଖବର ପାଇ ଜିଲ୍ଲା ପ୍ରଶାସନ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଫସି ରହିଥିବା ୪ଟି ପରିବାରର ୨୦ ଜଣ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ଉଦ୍ଧାର କରାଯାଇଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ଅନ୍ୟପଟେ, ତିଖାଲସ୍ଥିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପରୁ ତୁରନ୍ତ ବନ୍ୟାଜଳ ନିଷ୍କାସନ ପାଇଁ ଅଞ୍ଚଳବାସୀ ଦୃଢ଼ ଦାବି କରିଛନ୍ତି। ଜଳସେଚନ ପ୍ରକଳ୍ପରୁ ନିୟମିତ ଓ ସଠିକ୍ ଭାବେ ପାଣି ନିଷ୍କାସନ କରାନଗଲେ ଆଗାମୀ ଦିନରେ ବନ୍ୟା ପରିସ୍ଥିତି ଅଧିକ ଭୟାବହ ରୂପ ଧାରଣ କରିବ ବୋଲି ସ୍ଥାନୀୟ ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି। ପ୍ରଶାସନ ଏହି ବିଷୟକୁ ଗୁରୁତ୍ୱର ସହ ନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।




