Welcome to Jila khabara   Click to listen highlighted text! Welcome to Jila khabara
ରାଜନୀତି

ବିଜୁ ପଟ୍ଟନାୟକ ବିମାନବନ୍ଦର ଘରୋଇକରଣ ନିଷ୍ପତ୍ତିକୁ ବିଜେଡିର ତୀବ୍ର ବିରୋଧ: ଆଦେଶ ପ୍ରତ୍ୟାହାର ଦାବି

ବିଜୁ ପଟ୍ଟନାୟକ ବିମାନବନ୍ଦର ଘରୋଇକରଣ ନିଷ୍ପତ୍ତିକୁ ବିଜେଡିର ତୀବ୍ର ବିରୋଧ: ଆଦେଶ ପ୍ରତ୍ୟାହାର ଦାବି

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରର ଘରୋଇକରଣ ଏବଂ ପିପିପି (PPP) ମୋଡ୍‌ରେ ଲିଜ୍ ଦେବା ନିଷ୍ପତ୍ତିକୁ ନେଇ ଓଡ଼ିଶା ରାଜନୀତିରେ ଚହଳ ସୃଷ୍ଟି କରିଛି।କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ବିଜୁ ଜନତା ଦଳ ଦୃଢ଼ ଶବ୍ଦରେ ନିନ୍ଦା କରିବା ସହ ତୁରନ୍ତ ଏହି ଆଦେଶକୁ ରଦ୍ଦ କରିବାକୁ ଦାବି କରିଛି।

ସମ୍ବାଦପତ୍ର ସମ୍ମିଳନୀରେ ବିଜେଡି ଅଭିଯୋଗ କରିଛି ଯେ, କେନ୍ଦ୍ର ସରକାର ବିମାନବନ୍ଦରର ବିକାଶ ଓ ଭିତ୍ତିଭୂମି ସମ୍ପ୍ରସାରଣ ନାଁରେ ଏହାକୁ ଘରୋଇ ସଂସ୍ଥା ହାତକୁ ଟେକିଦେବାକୁ ଯୋଜନା କରୁଛନ୍ତି।ସାଧାରଣତଃ ଘାଟାରେ ଚାଲୁଥିବା ସରକାରୀ ସଂସ୍ଥାଗୁଡ଼ିକର ଘରୋଇକରଣ କରାଯାଇଥାଏ, କିନ୍ତୁ ଭୁବନେଶ୍ୱର ବିମାନବନ୍ଦର କ୍ରମାଗତ ଭାବେ ଲାଭଜନକ ସ୍ଥିତିରେ ରହିଛି। ଦଳ ପକ୍ଷରୁ କୁହାଯାଇଛି ଯେ, ୨୦୨୫-୨୬ ଆର୍ଥିକ ବର୍ଷରେ ଏହି ବିମାନବନ୍ଦରରୁ ପ୍ରାୟ ୫୫୦ କୋଟି ଟଙ୍କାର ଲାଭ ହୋଇଛି। ଏପରି ଏକ ଅଭିବୃଦ୍ଧିଶୀଳ ଓ ଲାଭଦାୟକ ବିମାନବନ୍ଦରକୁ କାହା ସ୍ୱାର୍ଥରେ ଏବଂ କାହାକୁ ସାହାଯ୍ୟ କରିବା ପାଇଁ ଘରୋଇ ହାତକୁ ଦିଆଯାଉଛି, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବିଜେଡି ଆହୁରି ମଧ୍ୟ ପ୍ରଶ୍ନ ଉଠାଇଛି ଯେ, ବିମାନବନ୍ଦର ଏବଂ ତାହାର ପାର୍ଶ୍ୱବର୍ତ୍ତୀ ବିକାଶ କ୍ଷେତ୍ରରେ ଯେତେବେଳେ ୧୨ ହଜାର କୋଟି ଟଙ୍କାର ବିଶାଳ ପୁଞ୍ଜି ବିନିଯୋଗ ହେବାକୁ ଯାଉଛି, ସେତେବେଳେ ଏହାର ପ୍ରକୃତ ଲାଭ ଓଡ଼ିଶାର ସାଧାରଣ ଜନତା ପାଇବେ ନା କୌଣସି ଘରୋଇ କମ୍ପାନୀ କୋଟି କୋଟି ଟଙ୍କାର ଫାଇଦା ମାରିନେବ? ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ଏହି ବିମାନବନ୍ଦର ରାଜ୍ୟର ଅସ୍ମିତା ଓ ସ୍ୱାଭିମାନ ସହ ଜଡ଼ିତ, ତେଣୁ ଏହାର ଘରୋଇକରଣକୁ ରାଜ୍ୟବାସୀ ସହଜରେ ଗ୍ରହଣ କରିବେ ନାହିଁ।

ଦଳ ଦାବି କରିଛି ଯେ, କେନ୍ଦ୍ର ସରକାର ନିଜେ ଅର୍ଥ ବିନିଯୋଗ କରି ଟର୍ମିନାଲର ସମ୍ପ୍ରସାରଣ ଓ ଆଧୁନିକୀକରଣ କରନ୍ତୁ, ଯାହାଦ୍ୱାରା ରାଜସ୍ୱ ସରକାରଙ୍କ ପାଖକୁ ଆସିବ।ଏହି ନିଷ୍ପତ୍ତିର ପୁନଃ ତର୍ଜମା କରାଯାଇ ଏହାକୁ ତୁରନ୍ତ ପ୍ରତ୍ୟାହାର କରାନଗଲେ, ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ବିଜେଡି ଚେତାବନୀ ଦେଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!