ପୁରୀରେ ବୀଭତ୍ସ ହତ୍ୟାକାଣ୍ଡ: ମା’କୁ ମାରି ରୋଷେଇ ଘର ଚଟାଣ ତଳେ ପୋତିଦେଲା ପୁଅ, ଅଭିଯୁକ୍ତ ଫେରାର୍
ପୁରୀରେ ବୀଭତ୍ସ ହତ୍ୟାକାଣ୍ଡ: ମା’କୁ ମାରି ରୋଷେଇ ଘର ଚଟାଣ ତଳେ ପୋତିଦେଲା ପୁଅ, ଅଭିଯୁକ୍ତ ଫେରାର୍

ପୁରୀ: ପୁରୀ ସହରର କୁମ୍ଭାରପଡ଼ା ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସଂବେଦନଶୀଳ ଓ ବୀଭତ୍ସ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି।ଜଣେ ପାଷାଣ୍ଡ ପୁଅ ନିଜ ମା’କୁ ନିର୍ମମ ଭାବେ ହତ୍ୟା କରିବା ପରେ ମୃତଦେହକୁ ଭଡ଼ାଘର ରୋଷେଇ ଘର ଚଟାଣ ତଳେ ପୋତି ସିମେଣ୍ଟ ପ୍ଲାଷ୍ଟର କରିଦେଇଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ପୁଲିସ୍ ରୋଷେଇ ଘର ଚଟାଣ ଖୋଳି ମହିଳାଙ୍କର ଅତି ପଚାସଢ଼ା ମୃତଦେହ ଉଦ୍ଧାର କରିଛି। ସୂଚନା ଅନୁଯାୟୀ, ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳର ମଦନ ଦଳାଇ ନାମକ ଜଣେ ବ୍ୟକ୍ତି ନିଜ ବୃଦ୍ଧା ମା’ଙ୍କ ସହ କୁମ୍ଭାରପଡ଼ା ଅଞ୍ଚଳରେ ମନୋରମା ସାହୁଙ୍କ ଘରେ ଗତ ଦୁଇ ମାସ ହେବ ଭଡ଼ାରେ ରହୁଥିଲେ।ତେବେ ଗତ କିଛି ଦିନ ହେବ ମହିଳା ଜଣଙ୍କୁ କେହି ଦେଖିବାକୁ ପାଇନଥିବା ବେଳେ ଗତ ରବିବାରଠାରୁ ପୁଅ ମଦନ ମଧ୍ୟ ଗାଏବ ହୋଇଯାଇଥିଲା।
ସୋମବାର ସନ୍ଧ୍ୟାରେ ରୋଷେଇ ଘର ଭିତରୁ ପ୍ରବଳ ଦୁର୍ଗନ୍ଧ ବାହାରିବା ସହ ଚଟାଣରୁ ଦୂଷିତ ପାଣି ବୋହିବାକୁ ଲାଗିଥିଲା।ଘର ମାଲିକାଣୀ ଏବଂ ପଡ଼ୋଶୀମାନଙ୍କର ସନ୍ଦେହ ହେବାରୁ ସେମାନେ ତୁରନ୍ତ କୁମ୍ଭାରପଡ଼ା ଥାନା ପୁଲିସକୁ ଖବର ଦେଇଥିଲେ।
ଅଭିଯୋଗ ପାଇବା ପରେ ପୁଲିସ୍, ମାଜିଷ୍ଟ୍ରେଟ୍ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।ରୋଷେଇ ଘର ଭିତରେ ନୂଆ କରି ତିଆରି ହୋଇଥିବା ଏକ ସ୍ଲାବ୍କୁ ଭାଙ୍ଗି ଚଟାଣ ଖୋଳାଯିବା ପରେ ସେଠାରୁ ମହିଳାଙ୍କର ପ୍ରାୟ ୪ ରୁ ୫ ଦିନର ତଳର ପଚାସଢ଼ା ମୃତଦେହ ମିଳିଥିଲା। ଘଟଣାସ୍ଥଳରୁ ପୁଲିସ୍ ଗୋଟିଏ ଛୁରୀ ମଧ୍ୟ ଜବତ କରିଛି।
ଅଭିଯୁକ୍ତ ପୁଅ ମା’କୁ ହତ୍ୟା କରିବା ପରେ ଇଟା ଓ ବାସନକୁସନ ଦେଇ ମୃତଦେହକୁ ଢାଙ୍କି ତା’ ଉପରେ ସିମେଣ୍ଟ ପ୍ଲାଷ୍ଟର କରି ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିବା ପୁଲିସ୍ ସନ୍ଦେହ କରୁଛି।
ଘଟଣା ପରଠାରୁ ଅଭିଯୁକ୍ତ ପୁଅ ମଦନ ଦଳାଇ ଫେରାର୍ ଅଛି ଏବଂ ତା’ର ମୋବାଇଲ୍ ଫୋନ୍ ବନ୍ଦ ରହିଛି।ପୁରୀ ଏସପିଙ୍କ ସୂଚନା ଅନୁଯାୟୀ, ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ଏବଂ ରିପୋର୍ଟ ଆସିବା ପରେ ହତ୍ୟାର ସଠିକ୍ କାରଣ ସ୍ପଷ୍ଟ ହେବ। ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୁଲିସ୍ର ବିଭିନ୍ନ ଟିମ୍ ଚଢ଼ାଉ ଜାରି ରଖିଛନ୍ତି। ଏହି ନିର୍ମମ ଘଟଣା ପୁରୀ ସହରରେ ଗଭୀର ଚାଞ୍ଚଲ୍ୟ ସୃଷ୍ଟି କରିଛି।




