Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ନୂଆପଡ଼ାରେ ପୋଲିସ-ମାଜିଷ୍ଟ୍ରେଟ ସମନ୍ୱୟ ବୈଠକ। ଅପରାଧକୁ ପ୍ରାରମ୍ଭିକ ସ୍ତରରୁ ରୋକିବା, ମାମଲାଗୁଡ଼ିକର ଯୁକ୍ତିସଙ୍ଗତ ତଦନ୍ତ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ।

ନୂଆପଡ଼ାରେ ପୋଲିସ-ମାଜିଷ୍ଟ୍ରେଟ ସମନ୍ୱୟ ବୈଠକ। ଅପରାଧକୁ ପ୍ରାରମ୍ଭିକ ସ୍ତରରୁ ରୋକିବା, ମାମଲାଗୁଡ଼ିକର ଯୁକ୍ତିସଙ୍ଗତ ତଦନ୍ତ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ।

ନୂଆପଡା, ତା. ୨୧/୦୫ : ନୂଆପଡା ଜିଲ୍ଲା ପୋଲିସ ଓ ମାଜିଷ୍ଟ୍ରେଟ ସମନ୍ୱୟ ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂ, ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜିତ ନାୟକ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମି ସୋରେନ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଦ୍ୱାରିକାନାଥ ଶତପଥୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ, ଆର୍‌ଟିଓ ଶର୍ମିଳା ମହାରଣା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମାକାନ୍ତ ବିଶ୍ୱାସଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ।ବୈଠକରେ ସମସ୍ତଙ୍କୁ ସ୍ୱାଗତ କରି ଜିଲ୍ଲାପାଳ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ପୋଲିସ ଓ ପ୍ରଶାସନ ମଧ୍ୟରେ ଉତ୍ତମ ସମନ୍ୱୟ ଏବଂ ବୁଝାମଣା ରହିଲେ ଲୋକଙ୍କ ସମସ୍ୟା ତଳସ୍ତରରେ ଶୀଘ୍ର ସମାଧାନ ହୋଇପାରିବ ବୋଲି ସେ କହିଥିଲେ। ଅପରାଧକୁ ପ୍ରାରମ୍ଭିକ ସ୍ତରରୁ ରୋକିବା, ମାମଲାଗୁଡ଼ିକର ଯୁକ୍ତିସଙ୍ଗତ ତଦନ୍ତ ଓ ଶୀଘ୍ର ନିଷ୍କର୍ଷକୁ ପହଞ୍ଚିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ପ୍ରତ୍ୟେକ ଥାନା ଅଧିକାରୀଙ୍କୁ ପ୍ରତିମାସ ଶାନ୍ତି କମିଟି ବୈଠକ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂ କହିଥିଲେ ଯେ, ପୋଲିସ୍ ଓ ପ୍ରଶାସନ ମଧ୍ୟରେ ଉତ୍ତମ ସମନ୍ୱୟ ପାଇଁ ଏକ ବିଶ୍ୱସନୀୟ ଓ ବ୍ୟାପକ ଡାଟାବେସ୍‌ର ଆବଶ୍ୟକତା ରହିଛି। ସେ କହିଥିଲେ, ପୋଲିସ୍ ଓ ପ୍ରଶାସନିକ ଅଧିକାରୀମାନେ ଯଦି ଲୋକଙ୍କ ସମସ୍ୟା ଶୁଣି ତାହାର ତୁରନ୍ତ ସମାଧାନ କରନ୍ତି, ତେବେ ଅନେକ ଅଘଟଣକୁ ପୂର୍ବରୁ ଏଡାଇ ଦିଆଯାଇପାରିବ। ଜିଲ୍ଲାପାଳ ଅଧିକାରୀମାନଙ୍କୁ ସମସ୍ୟାର ମୂଳକୁ ଯାଇ ସମାଧାନ କରିବା ସହ ଲୋକଙ୍କ ପ୍ରତି ସମ୍ବେଦନଶୀଳ ହେବାକୁ ପରାମର୍ଶ ଦେଇଥିଲେ।ବୈଠକରେ ସୂଚନା ଦିଆଯାଇଥିଲା ଯେ, ୨୦୨୬ ମସିହାର ପ୍ରଥମ ତ୍ରୟମାସିକରେ ଜିଲ୍ଲାରେ ମୋଟ ୬୦୮ଟି ମାମଲା ରୁଜୁ ହୋଇଛି। ଏଥିରେ ୨ଟି ହତ୍ୟା, ୮ଟି ଦୁଷ୍କର୍ମ, ୧୭ଟି ଚୋରି, ୪୯୯ଟି ବିଭିନ୍ନ ପ୍ରକାରର ମାମଲା (Misc cases) ଓ ୫୨ଟି ସଡ଼କ ଦୁର୍ଘଟଣା ମାମଲା ରହିଛି।ନୂଆପଡ଼ା ଉପନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଓ ସୁଚାରୁ ଭାବେ ପରିଚାଳନା କରି ଆଇନଶୃଙ୍ଖଳା ବଜାୟ ରଖିଥିବାରୁ ପୋଲିସ୍ ଅଧିକାରୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜିଲ୍ଲାବାସୀଙ୍କୁ ପୋଲିସ୍ ଓ ପ୍ରଶାସନ ଉପରେ ଆସ୍ଥା ରଖି ଶାନ୍ତି ଓ ସଂହତିପୂର୍ଣ୍ଣ ପରିବେଶରେ ଜୀବନଯାପନ କରିବାକୁ ଅନୁରୋଧ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରଇତ ଧନ୍ୟବାଦ ଅର୍ପଣ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!