ନୂଆପଡ଼ା ଜିଲ୍ଲାରେ ଲଗାଣ ବର୍ଷାର ପ୍ରକୋପ:
ସୁନାବେଡ଼ା ଅଭୟାରଣ୍ୟ ଚେରେଚୁଆଁ ଘାଟିରେ ବିରାଟ ଗଛ ଭାଙ୍ଗି ଯାତାୟାତ ସମ୍ପୂର୍ଣ୍ଣ ଠପ୍

ନୂଆପଡ଼ା (ଜିଲ୍ଲା ଖବର ), ୨୯/୦୭: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ନୂଆପଡ଼ା ଜିଲ୍ଲାର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷ କରି କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟର ଚେରେଚୁଆଁ ଘାଟି ରାସ୍ତାରେ ଆଜି ଏକ ବିଶାଳକାୟ ବୃକ୍ଷ ଉପୁଡ଼ି ପଡ଼ିବାରୁ ସମ୍ପୃକ୍ତ ରୁଟ୍ରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।
ମିଳିଥିବା ସୂଚନା ଅନୁସାରେ, ଗତ କିଛି ଦିନ ହେବ ଅଞ୍ଚଳରେ କ୍ରମାଗତ ବର୍ଷା ଜାରି ରହିଛି। ଆଜି ବର୍ଷା ବଳବତ୍ତର ଥିବା ବେଳେ ଚେରେଚୁଆଁ ଘାଟି ରାସ୍ତା ମଝିରେ ଏକ ବଡ଼ ଗଛ ଭାଙ୍ଗି ପଡ଼ିଥିଲା। ଫଳରେ ରାସ୍ତାର ଦୁଇ ପାଶ୍ୱର୍ରେ ଅନେକ ଯାନବାହାନ ଆଟକି ରହିଛି। ଗଛଟି ରାସ୍ତାକୁ ପୂର୍ଣ୍ଣରୂପେ ଅବରୋଧ କରିଥିବାରୁ ଚାରିଚକିଆ ଯାନ ଓ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ସ୍ଥାନୀୟ ଲୋକେ ବହୁ କଷ୍ଟରେ ଗଛ ତଳ ଦେଇ ଆପ୍ରାଣ ଉଦ୍ୟମ କରି ନିଜ ନିଜର ଦୁଇଚକିଆ ଯାନ (ବାଇକ୍) ଗୁଡ଼ିକୁ ଶୁଆଇ ପାର୍ କରାଉଥିବା ଦେଖିବାକୁ ମିଳିଛି। ଘାଟି ରାସ୍ତାରେ ଯାତାୟାତ ଠପ୍ ହୋଇଯାଇଥିବାରୁ ଜରୁରୀକାଳୀନ ସେବା ସହ ସ୍ଥାନୀୟ ଯାତ୍ରୀ ଓ ଗ୍ରାମବାସୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ବିଶାଳ ଗଛକୁ ତୁରନ୍ତ ହଟାଇବା ପାଇଁ ବନ ବିଭାଗ ଓ ସ୍ଥାନୀୟ ପ୍ରଶାସନ ଶୀଘ୍ର ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ପ୍ରଶାସନିକ ସ୍ତରରେ ଗଛଟିକୁ କାଟି ରାସ୍ତା ସାଫ୍ କରାଗଲେ ଯାତାୟାତ ପୁଣି ଥରେ ସ୍ୱାଭାବିକ ହୋଇପାରିବ।




