
- ନୂଆପଡ଼ା (୦୬/୦୮).ଜିଲ୍ଲା ଖବର ଲାଇଭ : ନୂଆପଡ଼ା ଜିଲ୍ଲା ଗସ୍ତରେ ଆସି ପିସିସି ସଭାପତି ଏବଂ ଅଖିଳ ଭାରତୀୟ କଂଗ୍ରେସ କମିଟିର ବରିଷ୍ଠ ନେତୃବୃନ୍ଦ ଜିଲ୍ଲା ସ୍ତରୀୟ କର୍ମୀ ସମ୍ମିଳନୀରେ ଯୋଗଦେଇଛନ୍ତି। ଆଗାମୀ ଦିନରେ ଦଳର ସ୍ଥିତିକୁ ଜିଲ୍ଲାରେ ଆହୁରି ସୁଦୃଢ଼ ଓ ମଜବୁତ କରିବା ପାଇଁ ସେମାନେ ନେତା ଓ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି।
- ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝୀ ଅଧ୍ୟକ୍ଷତା କରିଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ, ଓଡ଼ିଶା ପ୍ରଭାରୀ ଲାଲଜୀ ଦେଶାଇ, ନୂଆପଡ଼ା ଜିଲ୍ଲା ପ୍ରଭାରୀ ଜେ. ଟି. କୁସୁମ, ବିଧାୟକ କୃପାସିନ୍ଧୁ (ଖୁକୁ) ସିଂ, ଏବଂ ନୂଆପଡ଼ା ଇଞ୍ଚାର୍ଜ ବିଜୟାନନ୍ଦ ଡାଉରିଆଙ୍କ ସମେତ ଅନେକ ପ୍ରମୁଖ ନେତା ଯୋଗ ଦେଇଥିଲେ।
- ସମ୍ମିଳନୀରେ ଉପସ୍ଥିତ ସମସ୍ତ ନେତୃବୃନ୍ଦ ଦଳର ସାଂଗଠାନିକ ସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ସହ ତୃଣମୂଳ ସ୍ତରରେ କଂଗ୍ରେସକୁ ଆହୁରି ସକ୍ରିୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗାଁ ଗାଁରେ ଲୋକଙ୍କ ସମସ୍ୟା ବୁଝିବା ଏବଂ କଂଗ୍ରେସର ଜନକଲ୍ୟାଣକାରୀ ନୀତି ଓ ଆଦର୍ଶକୁ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବା ପାଇଁ ଶାଖା ଓ ବୁଥ୍ ସ୍ତରରେ କାର୍ଯ୍ୟ କରିବାକୁ କର୍ମୀମାନଙ୍କୁ ପରାମର୍ଶ ଦିଆଯାଇଛି।
- ଏହି ସମ୍ମିଳନୀରେ ଜିଲ୍ଲାର ବହୁ ସଂଖ୍ୟକ ବ୍ଲକ୍ ଓ ପଞ୍ଚାୟତ ସ୍ତରୀୟ କଂଗ୍ରେସ ନେତା, କର୍ମୀ ଏବଂ ସମର୍ଥକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।




