ରାଜସ୍ଥାନରେ ଦାଦନ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ
ସ୍ୱପ୍ନ ଖୋଜୁ ଖୋଜୁ ଫେରିଲା ମରଶରୀର, ଖମତରାଇ ଗାଁରେ ଶୋକର ଛାୟା

ନୂଆପଡ଼ା:(ଜିଲ୍ଲା ଖବର) ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଡୁଆଝର ଗ୍ରାମ ପଞ୍ଚାୟତର ଖମତରାଇ ଗ୍ରାମରେରୋଜଗାର ଆଶାରେ ଘରଛାଡ଼ି ଶହ ଶହ କିଲୋମିଟର ଦୂରକୁ ଯାଇଥିଲେ। ପରିବାରର ଦୁଃଖ ଦୂର କରିବେ, ଭଲ ଦିନଟିଏ ଆଣିବେ ବୋଲି ବୁଣିଥିଲେ ଅନେକ ସ୍ୱପ୍ନ। ହେଲେ ନିଷ୍ଠୁର ନିୟତିର ଖେଳ ଆଗରେ ସବୁ ସ୍ୱପ୍ନ ଅଧାରେ ରହିଗଲା। ରୋଜଗାର ପାଇଁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ଶେଷରେ ଶବ ହୋଇ ଘରକୁ ଫେରିଛନ୍ତି। ଏଭଳି ଏକ ଅତ୍ୟନ୍ତ ଦୁଃଖଦ ଓ ହୃଦୟବିଦାରକ ଘଟଣା ଖଡ଼ିଆଳ ବ୍ଲକ ଡୁଆଝର ଗ୍ରାମ ପଞ୍ଚାୟତର ଖମତରାଇ ଗ୍ରାମରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି। ଘରର ଆର୍ଥିକ ବୋଝ ସମ୍ଭାଳିବାକୁ ଯାଇଥିଲେ ପ୍ରବାସ
ପ୍ରାପ୍ତ ଖବର ଅନୁଯାୟୀ, ଖମତରାଇ ଗ୍ରାମର ବିବେକାନନ୍ଦ ନିଆଲ ଗାଁରେ ପର୍ଯ୍ୟାପ୍ତ ରୋଜଗାର ସୁବିଧା ନଥିବାରୁ ପରିବାରର ଆର୍ଥିକ ଆବଶ୍ୟକତା ପୂରଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଗତ ମଇ ମାସରେ ସେ ଗାଁର କିଛି ସାଙ୍ଗମାନଙ୍କ ସହ ଦାଦନ ଶ୍ରମିକ ଭାବେ ରାଜସ୍ଥାନ ଯାଇଥିଲେ। ରାଜସ୍ଥାନର ଟୋଙ୍କ ଜିଲ୍ଲାରେ ଥିବା ରିକୋ ଏରିଆ ସ୍ଥିତ ‘ଶ୍ରୀକୃଷ୍ଣ ସୁଦର୍ଶନ ଉର୍ଜା ପ୍ରାଇଭେଟ୍ ଲିମିଟେଡ୍’ ନାମକ କମ୍ପାନୀରେ ସେ କାର୍ଯ୍ୟରତ ଥିଲେ। କାର୍ଯ୍ୟସ୍ଥଳରେ ଘଟିଲା ଅଘଟଣ ସବୁକିଛି ଠିକ୍ଠାକ୍ ଚାଲିଥିଲା। ବିବେକାନନ୍ଦ ଦିନରାତି ପରିଶ୍ରମ କରି ରୋଜଗାର କରୁଥିଲେ ଏବଂ ନିୟମିତ ଘର ଲୋକଙ୍କ ସହ ଯୋଗାଯୋଗରେ ରହି ଭଲ ଦିନର ଆଶା ଦେଖାଉଥିଲେ। ହେଲେ ଗତ ୧୨ ତାରିଖ ଦିନ କମ୍ପାନୀରେ କାମ କରୁଥିବା ସମୟରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଥିଲା। କାମ କରୁଥିବା ବେଳେ ହଠାତ୍ ଏକ କୁଲରର ବ୍ଲେଡ୍ ବାଜି ବିବେକାନନ୍ଦଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା, ଯାହା ଫଳରେ ତାଙ୍କ ମୁଣ୍ଡର ଖପୁରୀ କଟି ଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଦୁର୍ଘଟଣା ପରେ ସେଠାରେ ଉପସ୍ଥିତ ଥିବା ତାଙ୍କ ସାଙ୍ଗମାନେ ତୁରନ୍ତ ତାଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ମହାତ୍ମା ଗାନ୍ଧୀ ହସ୍ପିଟାଲକୁ ରେଫର୍ କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଗାଁରେ କାନ୍ଦବୋବୋଳ, ଶୋକାକୁଳ ପରିବେଶରେ ଶେଷକୃତ୍ୟ ଗତକାଲି ରାତିରେ ବିବେକାନନ୍ଦଙ୍କ ମରଶରୀର ଗାଁ ଖମତରାଇରେ ପହଞ୍ଚିବା ପରେ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ କାନ୍ଦବୋବୋଳ ଛୁଟିଥିଲା। ଯେଉଁ ପୁଅ ପରିବାରର ବୋଝ ଉଠାଇବାକୁ ଯାଇଥିଲା, ତା’ର ଶବ ଦେଖି ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ଆଜି ଗାଁ ଶ୍ମଶାନରେ ଅଶ୍ରୁଳ ପରିବେଶ ମଧ୍ୟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତଦନ୍ତ ହେବ କହିଲେ ଶ୍ରମ କମିଶନର ବିବେକାନନ୍ଦ କାମ କରୁଥିବା କମ୍ପାନୀର ଅବହେଳା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ କରି ପରିବାର ପକ୍ଷରୁ ଉପଯୁକ୍ତ କ୍ଷତିପୂରଣ ଦାବି କରାଯାଇଛି। ଏ ସମ୍ପର୍କରେ ନୂଆପଡ଼ା ଶ୍ରମ କମିଶନର ରବୀନ୍ଦ୍ର ବାରଲାଙ୍କୁ ପଚାରିବାରୁ, “ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରାଯିବ ଏବଂ ମୃତକଙ୍କ ପରିବାରକୁ ନିୟମାନୁଯାୟୀ କ୍ଷତିପୂରଣ ଯୋଗାଇ ଦେବାକୁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ” ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।ଏହି ଘଟଣା ପୁଣିଥରେ ରାଜ୍ୟରେ ଦାଦନ ସମସ୍ୟା, ଶ୍ରମିକଙ୍କ ସୁରକ୍ଷା ଓ ସ୍ଥାନୀୟ ଅଞ୍ଚଳରେ ରୋଜଗାରର ଅଭାବକୁ ନେଇ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି।




