ରାଜିମ କୋର୍ଟର ଐତିହାସିକ ରାୟ: ଦୁଇ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣକାରୀଙ୍କୁ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ
ରାଜିମ କୋର୍ଟର ଐତିହାସିକ ରାୟ: ଦୁଇ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣକାରୀଙ୍କୁ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ

୨ ଲକ୍ଷ ଟଙ୍କା ଲେଖାଏଁ ଜରିମାନା, ଅନାଦେୟ ଅଧିକ ଏକ ବର୍ଷ ଜେଲ୍
ଦୋଷୀ ସାବ୍ୟସ୍ତ ହେଲେ ବଲାଙ୍ଗୀର ଜିଲ୍ଲା ଲାଠୋର ଅଞ୍ଚଳର ଦୁଇ ବ୍ୟକ୍ତି
ନୂଆପଡ଼ା / ରାଜିମ, ୨୫ ୮ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଗରିଆବନ୍ଧ ଜିଲ୍ଲା ଅନ୍ତର୍ଗତ ରାଜିମ କୋର୍ଟ ଏକ ବଡ଼ ଧରଣର ନିଶା କାରବାର ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ବୈଜ୍ଞାନିକ ପ୍ରମାଣ ଏବଂ ସାକ୍ଷ୍ୟ ପ୍ରମାଣକୁ ଆଧାର କରି କୋର୍ଟ ଦୁଇ ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣକାରୀଙ୍କୁ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ସହ ୨ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଆଦେଶ ଶୁଣାଇଛନ୍ତି। ଜରିମାନା ଅନାଦେୟ ହେଲେ ଅଭିଯୁକ୍ତଙ୍କୁ ପୁଣି ଅଧିକ ଏକ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ।
ଦଣ୍ଡିତ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ଓଡ଼ିଶାର ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ହରିଶଙ୍କର ରୋଡ୍ ନିବାସୀ ଦେବରାଜ ପୁଟେଲ୍ (୪୪) ଏବଂ ଶେଖର ପୁଟେଲ୍ (୨୨)।
ଘଟଣାର ପୃଷ୍ଠଭୂମି:
ଘଟଣାରୁ ପ୍ରକାଶ ଯେ, ଗତ ୨୦୨୪ ମସିହାରେ ରାଜିମ ଥାନା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଓଡ଼ିଶା ସୀମାନ୍ତ ଦେଇ ଛତିଶଗଡ଼କୁ ଚାଲାଣ ହେଉଥିବା ବିପୁଳ ପରିମାଣର ଗଞ୍ଜେଇ ସହ ଉକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ରାଜିମ ଥାନାରେ କେସ୍ ନମ୍ବର ୩୯୯/୨୦୨୪ ଏବଂ ଏନଡିପିଏସ (NDPS) ଆଇନର ଧାରା ୨୦(ବି) ଅଧୀନରେ ମାମଲା ରୁଜୁ ହୋଇଥିଲା।
କୋର୍ଟରେ ପ୍ରମାଣ ଓ ରାୟ:
ଗିରଫଦାରୀ ପରେ ରାଜିମ ପୋଲିସ ଘଟଣାର ତଦନ୍ତ ସାରି ଠିକ୍ ସମୟରେ ଚାର୍ଜସିଟ୍ ସହ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସାକ୍ଷୀ ଓ ଫୋରେନସିକ୍ ବୈଜ୍ଞାନିକ ତଥ୍ୟ କୋର୍ଟରେ ଉପସ୍ଥାପନ କରିଥିଲା। ମାମଲାର ବିଚାରଣା ବେଳେ ସମସ୍ତ ଦିଗକୁ ତର୍ଜମା କରି ବିଚାରପତି ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରି କଠୋର ଦଣ୍ଡାଦେଶ ଶୁଣାଇଛନ୍ତି। ସୀମାନ୍ତ ଅଞ୍ଚଳରେ ନିଶା କାରବାର ବିରୋଧରେ କୋର୍ଟଙ୍କ ଏହି କଡ଼ା ଆଭିମୁଖ୍ୟ ଗଞ୍ଜେଇ ମାଫିଆଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି।




