Welcome to Jila khabara   Click to listen highlighted text! Welcome to Jila khabara
ମୁଖ୍ୟ ସମାଚାର

ବିଷଧର ସାପ ସହ ବିପଜ୍ଜନକ ଖେଳ: ପାତାଲଗଙ୍ଗାରେ ଲୋକଙ୍କ ବେକରେ ନାଗସାପ ଗୁଡ଼ାଇ ଚାଲିଛି ରୋଜଗାର, ପ୍ରଶାସନ ନିରବ

ବିଷଧର ସାପ ସହ ବିପଜ୍ଜନକ ଖେଳ: ପାତାଲଗଙ୍ଗାରେ ଲୋକଙ୍କ ବେକରେ ନାଗସାପ ଗୁଡ଼ାଇ ଚାଲିଛି ରୋଜଗାର, ପ୍ରଶାସନ ନିରବ

​ବୋଲବମ୍ ଭକ୍ତଙ୍କ ଭିଡ଼ର ଫାଇଦା ଉଠାଉଛନ୍ତି ସାପୁଆ

​ସୋସିଆଲ ମିଡିଆରେ ଭାଇରାଲ ହେଉଛି ବିପଜ୍ଜନକ ଷ୍ଟଣ୍ଟ ଭିଡିଓ

​ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ୧୯୭୨ର ଖୋଲାଖୋଲି ଉଲ୍ଲଂଘନ

​ବୋଡ଼େନ/ନୂଆପଡ଼ା, ୨୫ ଅଗଷ୍ଟ:

ବିଷଧର ସାପ କିମ୍ବା ଅନ୍ୟ କୌଣସି ବନ୍ୟଜନ୍ତୁ ସହ ଥଟ୍ଟା-ମଜାକ ଓ ବାହାଦୁରୀ ଦେଖାଇବା ଯେ ଜୀବନ ପ୍ରତି ମାରାତ୍ମକ ବିପଦ ଡାକିଆଣିପାରେ, ତାହା ଜାଣିଶୁଣି ମଧ୍ୟ କିଛି ଅସାଧୁ ଲୋକ ଅର୍ଥ ଲାଳସାରେ ସାଧାରଣ ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି। ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ପ୍ରସିଦ୍ଧ ପବିତ୍ର ଶୈବପୀଠ ପାତାଲଗଙ୍ଗା ଠାରେ ଏଭଳି ଏକ ଅଭାବନୀୟ ତଥା ବିପଜ୍ଜନକ ଦୃଶ୍ୟ ଦେଖିବାକୁ ମିଳିଛି।

​ପବିତ୍ର ଶ୍ରାବଣ ମାସରେ ପାତାଲଗଙ୍ଗା ପୀଠରେ ହଜାର ହଜାର କାଉଡ଼ିଆ ତଥା ବୋଲବମ୍ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ଏହାର ସୁଯୋଗ ନେଇ ଜଣେ ସାପୁଆ ଜୀବନ୍ତ ବିଷଧର ନାଗସାପକୁ ଆଣି ଭକ୍ତ ତଥା ସାଧାରଣ ଲୋକଙ୍କ ବେକରେ ଗୁଡ଼ାଇ ଦେଉଛି। ଏପରି ବିପଦପୂର୍ଣ୍ଣ କାର୍ଯ୍ୟ କରି ଲୋକଙ୍କ ଠାରୁ ମୁଣ୍ଡପିଛା ୪୦ ରୁ ୫୦ ଟଙ୍କା ଆଦାୟ କରାଯାଉଛି। ଉତ୍ସାହ ଓ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଅନେକ ଶ୍ରଦ୍ଧାଳୁ ନିଜ ଜୀବନକୁ ବାଜି ଲଗାଇ ସାପକୁ ବେକରେ ଗୁଡ଼ାଇ ଫଟୋ ଓ ଭିଡିଓ ଉଠାଉଛନ୍ତି।

​ସୋସିଆଲ ମିଡିଆରେ ଭାଇରାଲ ନିଶା:

ଜିଲ୍ଲାର ବିଭିନ୍ନ ସ୍ଥାନରେ ଏବେ ସାପକୁ ନେଇ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିବାର ଏକ ଅପସଂସ୍କୃତି ଦେଖାଦେଇଛି। କିଛି ଲୋକ ଲାଇକ୍ ଓ ଭ୍ୟୁଜ୍ ପାଇବା ପାଇଁ ଏଭଳି ଦୃଶ୍ୟକୁ ରେକର୍ଡ କରି ଇଣ୍ଟରନେଟରେ ପ୍ରସାର କରୁଛନ୍ତି। ବିଷଧର ସର୍ପାଘାତରେ ଯେକୌଣସି ମୁହୂର୍ତ୍ତରେ ଅଘଟଣ ଘଟି ମଣିଷର ଜୀବନ ଚାଲିଯିବାର ଯଥେଷ୍ଟ ଆଶଙ୍କା ରହିଛି।

​ଆଇନ ଅନୁଯାୟୀ ଏହା ଦଣ୍ଡନୀୟ ଅପରାଧ:

​ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ୧୯୭୨ ଅନୁଯାୟୀ ନାଗସାପ ଭଳି ସଂରକ୍ଷିତ ବନ୍ୟଜନ୍ତୁଙ୍କୁ ଧରିବା, ପ୍ରଦର୍ଶନ କରିବା କିମ୍ବା ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରିବା ସମ୍ପୂର୍ଣ୍ଣ ବେଆଇନ।

​ଏପରି ବିପଜ୍ଜନକ ଦୃଶ୍ୟକୁ ସୋସିଆଲ ମିଡିଆରେ ପ୍ରଚାର-ପ୍ରସାର କରିବା ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ପରିସରଭୁକ୍ତ।

​କୌଣସି ଜନବସତି କିମ୍ବା ସ୍ଥାନରେ ସାପ ଦେଖାଗଲେ ତାଙ୍କ ସହ ଖେଳ ନକରି ତୁରନ୍ତ ସ୍ଥାନୀୟ ବନ ବିଭାଗ କିମ୍ବା ସ୍ନେକ୍ ହେଲ୍ପଲାଇନର ଉଦ୍ଧାରକାରୀଙ୍କୁ ଖବର ଦେବାକୁ ପରିବେଶବିତ୍ ମାନେ ପରାମର୍ଶ ଦେଇଛନ୍ତି। ଧାର୍ମିକ ପୀଠରେ ଏଭଳି ବେଆଇନ କାର୍ଯ୍ୟକଳାପ ଉପରେ ଜିଲ୍ଲା ପ୍ରଶାସନ ଓ ବନ ବିଭାଗ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!