ବର୍ଡରରେ ମାଡ଼ି ବସିଲା ପୋଲିସ, କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ସହ କାର୍ ଜବତ, ୨ ଗିରଫ
ଓଡ଼ିଶାରୁ ମଧ୍ୟପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ

ନୂଆପଡ଼ା, ୦୯/୦୭ (ଜିଲ୍ଲା ଖବର ଲାଇଭ୍ / ଓମ୍ ପ୍ରକାଶ ଚୌଧୁରୀ):
ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ପୋଲିସକୁ ମିଳିଛି ଏକ ବଡ଼ ଧରଣର ସଫଳତା। ଓଡ଼ିଶାରୁ ମଧ୍ୟପ୍ରଦେଶକୁ ଏକ ଦାମୀ କାର୍ ଯୋଗେ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଗରିଆବନ୍ଧ ଜିଲ୍ଲା ମେନପୂର ଥାନା ପୋଲିସ ଚଢ଼ାଉ କରି ଏହାକୁ ପଣ୍ଡ କରିଦେଇଛି। ଏହି ମାମଲାରେ ପୋଲିସ ପ୍ରାୟ ୧ କ୍ୱିଣ୍ଟାଲ୍ ୨ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହ ୨ ଜଣ ଆନ୍ତଃରାଜ୍ୟ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି।ନାକାବନ୍ଦୀ କରି ଘେରିଲା ପୋଲିସ ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶା ସୀମା ଅତିକ୍ରମ କରି ଛତିଶଗଡ଼ ଦେଇ ମଧ୍ୟପ୍ରଦେଶକୁ ଗଞ୍ଜେଇର ଏକ ବଡ଼ କନସାଇନମେଣ୍ଟ ଯାଉଥିବା ନେଇ ମେନପୁର ପୋଲିସକୁ କୌଣସି ବିଶେଷ ସୂତ୍ରରୁ ଗୁପ୍ତ ସୂଚନା ମିଳିଥିଲା। ସୂଚନା ପାଇବା ମାତ୍ରେ ଗରିଆବନ୍ଧ ଏଏସପି କରଣ ୟୁକେଙ୍କ ନିର୍ଦ୍ଦେଶରେ ମେନପୁର ଥାନା ପୋଲିସ ତତ୍କାଳ ଆକ୍ସନ ମୋଡ୍କୁ ଆସିଥିଲା। ପୋଲିସ ଟିମ୍ ସୀମାନ୍ତ ଝରିଆବାହାରା ଗ୍ରାମ ନିକଟରେ ତରବରିଆ ଭାବେ ନାକାବନ୍ଦୀ କରି ଗାଡ଼ିଗୁଡ଼ିକର ଯାଞ୍ଚ କଡ଼ାକଡ଼ି କରିଥିଲା।ଦାମୀ କାର୍ରୁ ବାହାରିଲା ପ୍ୟାକେଟ୍ ପ୍ୟାକେଟ୍ ଗଞ୍ଜେଇଯାଞ୍ଚ ସମୟରେ ଓଡ଼ିଶା ପଟୁ ଆସୁଥିବା ଏକ ସନ୍ଦେହଜନକ ଧଳା ରଙ୍ଗର ଦାମୀ କାର୍କୁ ପୋଲିସ ଅଟକାଇଥିଲା। ଗାଡ଼ିର ଡିକି ଓ ସିଟ୍ ସାମ୍ନା ଯାଞ୍ଚ କରିବା ପରେ ପୋଲିସ ଆଖି ଆଉଟୁପାଉଟୁ ହୋଇଯାଇଥିଲା। କାର୍ ଭିତରେ ବହୁ ପରିମାଣର ଗଞ୍ଜେଇ ପ୍ୟାକେଟ୍ ଲୁଚାଇ ରଖାଯାଇଥିଲା। ଓଜନ କରିବା ପରେ ସେଥିରୁ ପ୍ରାୟ ୧ କ୍ୱିଣ୍ଟାଲ୍ ୨ କିଲୋଗ୍ରାମର ଗଞ୍ଜେଇ ବାହାରିଥିଲା, ଯାହାର ଆନୁମାନିକ ବଜାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲի ଜଣାପଡ଼ିଛି। ମଧ୍ୟପ୍ରଦେଶର ୨ ଅଭିଯୁକ୍ତ ଗିରଫ, କାର୍ ଜବତ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପୋଲିସ ଗାଡ଼ିରେ ଥିବା ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମଧ୍ୟପ୍ରଦେଶର ଆର୍ୟନ ମାଳବିୟ ଏବଂ ଅଭିଷେକ ମେହସ୍କର। ପୋଲିସ ଗଞ୍ଜେଇ ସହିତ ଚୋରା ଚାଲାଣରେ ବ୍ୟବହୃତ ଦାମୀ କାର୍ଟିକୁ ମଧ୍ୟ ଜବତ କରିଛି।ଏହି ସଫଳତା ସମ୍ପର୍କରେ ଗରିଆବନ୍ଧ ଏଏସପି କରଣ ୟୁକେ ସୂଚନା ଦେଇଛନ୍ତି ଯେ, ଏହି ଗଞ୍ଜେଇ ଓଡ଼ିଶାର କେଉଁ ଅଞ୍ଚଳରୁ ଅଣାଯାଇଥିଲା ଏବଂ ଏହା ପଛରେ ଆଉ କେଉଁ ବଡ଼ ମାଫିଆଙ୍କ ହାତ ରହିଛି, ସେ ନେଇ ପୋଲିସ ଅଭିଯୁକ୍ତମାନଙ୍କୁ ଅଧିକ ପଚରାଉଚରା ଜାରି ରଖିଛି।




