ପୂଜାରୀଗୁଡ଼ାରେ ସମ୍ଭାବ୍ୟ ଆଣବିକ ପ୍ରକଳ୍ପକୁ ବିରୋଧ, ପ୍ରଶାସନ କହିଲା ‘କୌଣସି ପ୍ରସ୍ତାବ ନାହିଁ’
ପୂଜାରୀଗୁଡ଼ାରେ ସମ୍ଭାବ୍ୟ ଆଣବିକ ପ୍ରକଳ୍ପକୁ ବିରୋଧ, ପ୍ରଶାସନ କହିଲା ‘କୌଣସି ପ୍ରସ୍ତାବ ନାହିଁ’

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ର ପୂଜାରୀଗୁଡ଼ା ଅଞ୍ଚଳରେ ସମ୍ଭାବ୍ୟ ଆଣବିକ ଶକ୍ତି ପ୍ରକଳ୍ପ ସ୍ଥାପନକୁ ନେଇ ବିରୋଧ ତୀବ୍ର ହୋଇଛି। ମଙ୍ଗଳବାର ‘ଆଣବିକ ଶକ୍ତି ପ୍ରକଳ୍ପ ପ୍ରତିରୋଧ ସଂଗ୍ରାମ ସମିତି’ ପକ୍ଷରୁ ବିରାଟ ଶୋଭାଯାତ୍ରା କରାଯାଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯାଇଛି। ତେବେ ପୂଜାରୀଗୁଡ଼ାରେ ଏଭଳି କୌଣସି ପ୍ରକଳ୍ପ ପାଇଁ ପ୍ରସ୍ତାବ ନଥିବା ସ୍ପଷ୍ଟ କରିଛି ଜିଲ୍ଲା ପ୍ରଶାସନ।
ସମିତିର ଅଭିଯୋଗ ଅନୁସାରେ, ପୂଜାରୀଗୁଡ଼ା ଅଞ୍ଚଳରେ ଗୁପ୍ତ ଭାବେ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ସ୍ଥାପନ ପାଇଁ ପ୍ରସ୍ତୁତି ଚାଲିଛି। ଏନ୍ଟିପିସି ପକ୍ଷରୁ ମାଟି ପରୀକ୍ଷା ଓ ବିଭିନ୍ନ ସର୍ଭେ କରାଯାଉଥିବାବେଳେ ଏହାର ଉଦ୍ଦେଶ୍ୟ ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ସ୍ପଷ୍ଟ ଭାବେ ଅବଗତ କରାଯାଇନାହିଁ ବୋଲି ସମିତି ଦାବି କରିଛି। ପ୍ରକଳ୍ପ ଆଗକୁ ବଢ଼ିଲେ ଇନ୍ଦ୍ରାବତୀ ଜଳଭଣ୍ଡାର, କୃଷି, ଜଙ୍ଗଲ, ପରିବେଶ, ଜୈବବିବିଧତା ଓ ଜନସ୍ୱାସ୍ଥ୍ୟ ପ୍ରଭାବିତ ହେବ ବୋଲି ଆନ୍ଦୋଳନକାରୀମାନେ ଆଶଙ୍କା ପ୍ରକାଶ କରିଛନ୍ତି।
ପ୍ରତିବାଦ କାର୍ଯ୍ୟକ୍ରମରେ ପ୍ରାୟ ୫ ହଜାର ଲୋକ ସାମିଲ ହୋଇଥିବା ଦାବି କରାଯାଇଛି। ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ପୂର୍ବତନ ବିଧାୟକ ଭୁଜବଳ ମାଝୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନର ନେତାମାନେ ଆନ୍ଦୋଳନକୁ ସମର୍ଥନ କରିଥିଲେ। ପ୍ରଦୀପ ମାଝୀ ଦାବି କରିଛନ୍ତି ଯେ ତେନ୍ତୁଳିଖୁଣ୍ଟି ସୀମାନ୍ତ ଓ କଳାହାଣ୍ଡିର ଜୟପାଟଣା ଅଞ୍ଚଳରେ ପ୍ରାୟ ୬୦୦ ହେକ୍ଟର ଜମି ଚିହ୍ନଟ ହୋଇଛି।
ଅନ୍ୟପକ୍ଷରେ, ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ତାଙ୍କ କହିବା ଅନୁସାରେ, ଏନ୍ଟିପିସି ପକ୍ଷରୁ ଖଣି ସମ୍ପର୍କିତ ଯାଞ୍ଚ ପାଇଁ ୧୫ ଦିନର ଅନୁମତି ମଗାଯାଇଥିଲା ଏବଂ ସେହି ଅନୁସାରେ ଅନୁମତି ଦିଆଯାଇଛି। ଯଦି କୌଣସି ପ୍ରକଳ୍ପ ପାଇଁ ପ୍ରସ୍ତାବ ଆସେ, ତେବେ ପ୍ରଥମେ ଗ୍ରାମସଭା କରାଯାଇ ଲୋକଙ୍କ ମତାମତ ନିଆଯିବ। ତେଣୁ ଭୁଲ ତଥ୍ୟ ଦେଇ ଲୋକଙ୍କୁ ବିଭ୍ରାନ୍ତ କରାଯାଉଛି ବୋଲି ସେ କହିଛନ୍ତି।
ଏହି ବିବାଦ ସମ୍ପର୍କରେ ନବରଙ୍ଗପୁର ବିଧାୟକ ମଧ୍ୟ କହିଛନ୍ତି ଯେ ଏପର୍ଯ୍ୟନ୍ତ ଏଭଳି କୌଣସି ପ୍ରକଳ୍ପ ସମ୍ପର୍କରେ ତାଙ୍କୁ ସରକାରୀ ରିପୋର୍ଟ କିମ୍ବା ସୂଚନା ମିଳିନାହିଁ।




