ଜିଲ୍ଲାପାଳ ମଧୁସୂଦନ ଦାଶ ଝାରବନ୍ଧ ଗାଁର ସାଗର ବନ୍ଧ ପରିଦର୍ଶନ କରିଥିଲେ।
ନୂଆପଡା ଜିଲ୍ଲାପାଳ ଝାରବନ୍ଧ ପଞ୍ଚାୟତରେ ପରିବର୍ଦ୍ଧିତ ଜନ ଶୁଣାଣି ଅବସରରେ ସାଗର ବନ୍ଧ, ଦଶମ ଶ୍ରେଣୀ ଛାତ୍ରୀ ଗୃହ ଏବଂ ପ୍ରବାସୀ ଶ୍ରମିକ ଗୃହ ପରିଦର୍ଶନ କଲେ l

ନୂଆପଡ଼ା ସିନାପାଲି ବ୍ଲକ୍ ରେ ପରିବର୍ଦ୍ଧିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳ ମଧୁସୂଦନ ଦାଶ ଝାରବନ୍ଧ ଗାଁର ସାଗର ବନ୍ଧ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ଗ୍ରାମବାସୀଙ୍କୁ ବନ୍ଧକୁ ସ୍ୱଚ୍ଛ ରଖିବାକୁ ଆହ୍ୱାନ ଦେଇଥିଲେ। ବନ୍ଧର ଦଳ ସଫା କରିବା ପାଇଁ ଯଦି ଗ୍ରାମବାସୀ ଆଗଭର ହୋଇ ଶ୍ରମଦାନ କରିବେ ତାହେଲେ ଏହାର ଉନ୍ନତିକରଣ ଓ ରକ୍ଷଣାବେକ୍ଷଣ ପାଇଁ ପ୍ରଶାସନ ପଦକ୍ଷେପ ନେବ l ଯଦି କୌଣସି ଆର୍ଥିକ ସହାୟତାର ଆବଶ୍ୟକତା ଥାଏ, ତେବେ ପଞ୍ଚାୟତ ମାଧ୍ୟମରେ ଆବଶ୍ୟକ ଅନୁଦାନ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ ଆଶ୍ୱାସନା ଦେଇଥିଲେ।
ଏହା ସହିତ ଜିଲ୍ଲାପାଳ ଝାରବନ୍ଧ ଗାଁର ଦେବୀଚରଣ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ମେଧାବୀ ଛାତ୍ରୀ କୁମାରୀ ଦ୍ରୌପଦୀ ବିଶୀଙ୍କ ଘରକୁ ମଧ୍ୟ ପରିଦର୍ଶନ କରିଥିଲେ। ସେ ଛାତ୍ରୀଙ୍କୁ ପାଠପଢ଼ା ସମ୍ବନ୍ଧୀୟ ମୂଲ୍ୟବାନ ପରାମର୍ଶ ଦେଇ ଆଗାମୀ ହାଇ ସ୍କୁଲ ବୋର୍ଡ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବାକୁ ଉତ୍ସାହିତ କରିଥିଲେ। ସେହିପରି ଛାତ୍ରୀଙ୍କ ଶିକ୍ଷକଙ୍କୁ ତାଙ୍କ ପଢ଼ାର ଅଗ୍ରଗତି ସମୀକ୍ଷା କରି ଆବଶ୍ୟକ ସହଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।ଛାତ୍ରୀଙ୍କ ପିତା ଅମରସିଂ ବିଶୀ ଜଣେ ଫେରିଥିବା ପ୍ରବାସୀ ଶ୍ରମିକ ହୋଇଥିବାରୁ ଜିଲ୍ଲାପାଳ ତାଙ୍କୁ ଆଗାମୀ ଦିନରେ ଅନ୍ୟ ରାଜ୍ୟକୁ ପ୍ରବାସ କରିବାରୁ ବିରତ ରହି ମନରେଗା ଯୋଜନା ଅଧୀନରେ ସ୍ଥାନୀୟ ଭାବେ କାମ କରିବାକୁ ପରାମର୍ଶ ଦେଇଥିଲେ। ତାଙ୍କୁ ଗୋ କିମ୍ବା ଛେଳି ପାଳନ ପାଇଁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପ୍ରାଣୀ ସମ୍ପଦ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଏହାସହିତ ଜିଲ୍ଲାପାଳ ଝାରବନ୍ଧ ଗାଁର ଦୁଇ ଜଣ ପ୍ରବାସୀ ଶ୍ରମିକ ଜେମାନି ମାଝି ଓ ରୂପ ସିଂ ବଞ୍ଚୋରଙ୍କ ଘରକୁ ଯାଇ ସେମାନଙ୍କ ପରିବାର ସହ ଆଲୋଚନା କରିଥିଲେ। ସେମାନେ ଅନ୍ୟ ରାଜ୍ୟକୁ ଯାଇ ଯାତନାପୂର୍ଣ୍ଣ ପ୍ରବାସୀ ଶ୍ରମିକ କାମ କରିବା ପରିବର୍ତ୍ତେ ଗାଁରେ ରହି ମନରେଗା ଯୋଜନାରେ କାମ କରିବାକୁ ପରାମର୍ଶ ଦେଇଥିଲେ। ସେମାନଙ୍କୁ ଚାଷବାସ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଲାଇନ୍ ବିଭାଗ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l
![]()




