ବ୍ରହ୍ମପୁରରେ ଅବକାରୀ ଗୁଇନ୍ଦାର ବଡ଼ ଗଞ୍ଜେଇ ରେଡ୍: ଦାମୀ କାରରୁ ୧୯୫ କିଲୋ ଗଞ୍ଜେଇ ଜବତ, ୩ ଗିରଫ
ବ୍ରହ୍ମପୁରରେ ଅବକାରୀ ଗୁଇନ୍ଦାର ବଡ଼ ଗଞ୍ଜେଇ ରେଡ୍: ଦାମୀ କାରରୁ ୧୯୫ କିଲୋ ଗଞ୍ଜେଇ ଜବତ, ୩ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଅବକାରୀ ଗୁଇନ୍ଦା ବିଭାଗକୁ ମିଳିଛି ବଡ଼ ସଫଳତା। ଦାମୀ କାର୍ରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଗୋଡ଼ାଇ ଗୋଡ଼ାଇ ୧୯୫ କିଲୋ ଗଞ୍ଜେଇ ଜବତ କରିବା ସହ ୩ ଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି ଅବକାରୀ ଗୁଇନ୍ଦା ଟିମ୍।
କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ
ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲାରୁ ଦାମୀ କାର୍ ସାହାଯ୍ୟରେ ରାଜ୍ୟ ବାହାରକୁ ବହୁ ପରିମାଣର ଗଞ୍ଜେଇ ଚାଲାଣ ହେଉଥିବା ନେଇ ଅବକାରୀ ଗୁନ୍ଦା ବିଭାଗକୁ ପୂର୍ବରୁ ସୂଚନା ମିଳିଥିଲା। ଏହି ଗୁପ୍ତ ସୂଚନା ଆଧାରରେ ଗୁଇନ୍ଦା ଟିମ୍ ପକ୍ଷରୁ ବ୍ରହ୍ମପୁରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ କଡ଼ା ନଜର ରଖାଯାଇଥିଲା ଚାଲାଣକାରୀମାନେ ଅବକାରୀ ଟିମ୍କୁ ଚକମା ଦେବା ପାଇଁ ସାଧାରଣ ଗାଡ଼ି ବଦଳରେ ଦୁଇଟି ଦାମୀ କାର୍ର ବ୍ୟବହାର କରିଥିଲେ। ତେବେ ବ୍ରହ୍ମପୁର ଫାଷ୍ଟଗେଟ୍ ନିକଟରେ ସନ୍ଦେହଜନକ ଭାବେ ଯାଉଥିବା ଏହି ଦୁଇଟି କାର୍କୁ ଅବକାରୀ ଗୁଇନ୍ଦା ଟିମ୍ ଅଟକାଇବାକୁ ଉଦ୍ୟମ କରିଥିଲା।
ଗୁଇନ୍ଦା ଟିମ୍କୁ ଦେଖି ଗାଡ଼ିଗୁଡ଼ିକ ଅତି ଦ୍ରୁତ ଗତିରେ ଖସିଯିବାକୁ ଚେଷ୍ଟା କରିଥିଲେ। ହେଲେ ଅବକାରୀ ଟିମ୍ ଫିଲ୍ମି ଷ୍ଟାଇଲ୍ରେ ଗୋଡ଼ାଇ ଗୋଡ଼ାଇ ଗଞ୍ଜେଇ ବୋଝେଇ କାର୍ ଦୁଇଟିକୁ କାବୁ କରିବାରେ ସଫଳ ହୋଇଥିଲା।
କାବୁ କରାଯାଇଥିବା ଗାଡ଼ି ଦୁଇଟିକୁ ଯାଞ୍ଚ କରିବା ପରେ ସେଥିରୁ ୧୯୫ କିଲୋଗ୍ରାମ୍ ଗଞ୍ଜେଇ ମିଳିଥିଲା। ଅବକାରୀ ବିଭାଗ ଗଞ୍ଜେଇ ସହିତ ଚାଲାଣରେ ବ୍ୟବହୃତ ଦୁଇଟି ଦାମୀ କାର୍ ଏବଂ ଅଭିଯୁକ୍ତଙ୍କ ନିକଟରୁ ମୋବାଇଲ୍ ଫୋନ୍ ଜବତ କରିଛି। ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି। ଅବକାରୀ ବିଭାଗ ଗିରଫ ୩ ଜଣଙ୍କୁ ଆଟକ ରଖି ଅଧିକ ପଚରାଉଚରା ଜାରି ରଖିଛି। ଏହି ଗଞ୍ଜେଇ କନ୍ଧମାଳର କେଉଁ ସ୍ଥାନରୁ ଅଣାଯାଇଥିଲା, ରାଜ୍ୟ ବାହାରେ କାହା ପାଖକୁ ପଠାଯାଉଥିଲା ଏବଂ ଏହି ଅନ୍ତଃରାଜ୍ୟ ଚୋରା ଚାଲାଣ ରାକେଟ୍ ପଛରେ ଆଉ କେଉଁ ବଡ଼ ମୁଣ୍ଡ ସାମିଲ ଅଛନ୍ତି, ସେନେଇ ଅବକାରୀ ଗୁଇନ୍ଦା ବିଭାଗ ଛାନ୍ଭିନ୍ ଚଳାଇଛି।




