Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

କୋରେଇ ରାଜନୀତିରେ ଅଶୋକଙ୍କ ଏଣ୍ଟ୍ରି, ଚିନ୍ତାରେ ବବି

କୋରେଇ ରାଜନୀତିରେ ଅଶୋକଙ୍କ ଏଣ୍ଟ୍ରି, ଚିନ୍ତାରେ ବବି

ପ୍ରାୟ ଦୁଇ ବର୍ଷର ନୀରବତା ପରେ କୋରେଇର ପୂର୍ବତନ ବିଧାୟକ ଅଶୋକ ବଳ ଯାଜପୁର ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇଛନ୍ତି । ଏହି ଘଟଣା ଜିଲ୍ଲା ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି । ୨୦୨୪ ନିର୍ବାଚନରେ କୋରେଇରୁ ଅଶୋକଙ୍କୁ ପ୍ରାର୍ଥୀ କରାଯାଇ ନଥିଲା । ତାଙ୍କ ସ୍ଥାନରେ ବବିଙ୍କ ମା’ ସଂଧ୍ୟାରଣୀ ଦାସଙ୍କୁ ପ୍ରାର୍ଥୀ କରାଯାଇଥିଲା । ସଂଧ୍ୟାରଣୀ ସେଠାରୁ ପରାଜିତ ହୋଇଥିଲେ । ଟିକେଟ ପରିବର୍ତ୍ତନ ସମୟରୁ ଅଶୋକ ନିରବ ହୋଇ ଯାଇଥିଲେ । ଦଳରେ ଥିଲେ ମଧ୍ୟ ଦଳର କୌଣସି ସଭା ସମିତିରେ ତାଙ୍କୁ ଦେଖିବାକୁ ମିଳୁନଥିଲା । ଅନ୍ୟ ପକ୍ଷରେ ସମ୍ବଲପୁରରୁ ପରାଜିତ ହେଲା ପରେ କୋରେଇରେ ସଂଗଠନ ସଜାଡ଼ିବା ଆରମ୍ଭ କରିଥିଲେ ବବି । ନିଜ ନିର୍ବାଚନ ମଣ୍ଡଳୀ ଯାଜପୁର ଅପେକ୍ଷା କୋରେଇ ଉପରେ ଅଧିକ ଗୁରୁତ୍ୱ ଦେଉଥିଲେ ବବି । କେବଳ ସେ ନୁହଁନ୍ତି ତାଙ୍କ ସାନଭାଇ ଭଵ ପ୍ରସାଦ ଦାସ ମଧ୍ୟ କୋରେଇରେ ଘରଘର ବୁଲିବା ଦେଖୁବାକୁ ମିଳୁଥିଲା । ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମ ସହିତ ସାମାଜିକ କାର୍ଯ୍ୟକ୍ରମରେ ଉଭୟ ଯୋଗଦାନ କରିଥିଲେ । ବବିଙ୍କ ଦ୍ୱାରା ଆୟୋଜିତ ଦଳୀୟ କାର୍ଯ୍ୟକ୍ରମକୁ ଅଶୋକଙ୍କୁ ଡକା ଯାଉ ନଥିଲା । ଅଶୋକଙ୍କୁ ଏକ ପ୍ରକାର ଏକ ଘରିକିଆ କରି ରଖିଥିଲେ ବବି । ବବିଙ୍କୁ କିମ୍ବା ତାଙ୍କ ପରିବାରକୁ କୋରେଇବାସୀ ଗ୍ରହଣ କରୁ ନଥିବା ଭୋଟ ମାଧ୍ୟମରେ କୋରେଇବାସୀ ଜଣାଇ ଦେଇଥିଲେ ମଧ୍ୟ ବବି କିନ୍ତୁ ୨୦୨୯ ନିର୍ବାଚନକୁ ଆଖି ଆଗରେ ରଖି ସଂଗଠନ ସଜାଡୁଥିଲେ । ଏବେ ବିଜେଡି ରାଜନୀତିରେ ପାଣ୍ଡିଆନ-ବବି ବିବାଦ ଚରମ ସୀମାରେ ପହଞ୍ଚିଥିଲା ବେଳେ ଦୁଇଦିନ ତଳେ ନବୀନ ନିବାସରୁ ଅଶୋକଙ୍କୁ ଡାକରା ଆସିଥିଲା । ଅଶୋକ ନବୀନ ନିବାସ ଯାଇ ଦଳ ସଭାପତିଙ୍କୁ ଭେଟିଲା ପରେ ଜିଲ୍ଲା କାର୍ଯ୍ୟକାରୀଣି ବୈଠକରେ ଯୋଗଦେଇଥିଲେ । ଯାହା ଚର୍ଚ୍ଚାର ବିଷୟ ହୋଇଛି । ଅଶୋକ ଦୀର୍ଘ ଦୁଇ ବର୍ଷ କୋରେଇ ରାଜନୀତିରୁ ଦୂରେଇ ରହିବା ପୁଣି ଜିଲ୍ଲା ବୈଠକରେ ଯୋଗଦେବା ଫଳରେ ଦଳୀୟ ଶୀର୍ଷ ନେତୃତ୍ୱ ଆଗାମି ଦିନରେ କୋରେଇ ପାଇଁ ଭିନ୍ନ ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି । ଦଳ ମଧ୍ୟରେ ଦିନକୁ ଦିନ ବବିଙ୍କ ପତିଆରା କମି କମି ଯାଉଥିଲା ବେଳେ କୋରେଇକୁ ଜାବୁଡି ଧରିଥିବା ବବିଙ୍କ ହାତରୁ କୋରେଇ ଖସିଯିବାର ଆଶଙ୍କା ଦେଖା ଦେଇଛି । କୋରେଇ ରାଜନୀତିରେ ଅଶୋକଙ୍କ ଏଣ୍ଟ୍ରି ବବିଙ୍କ ପାଇଁ ସତର୍କ ଘଣ୍ଟି ନୁହେଁ ତ ?

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!