ପିହୁ ନିଖୋଜ ଘଟଣା: କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲେ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା
ପିହୁ ନିଖୋଜ ଘଟଣା: କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲେ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା

ଭୁବନେଶ୍ୱର: (ଜିଲ୍ଲା ଖବର) ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳର ବହୁଚର୍ଚ୍ଚିତ ଶିଶୁ କନ୍ୟା ‘ପିହୁ’ ନିଖୋଜ ଘଟଣାକୁ ନେଇ ପୁଣି ଥରେ ତତ୍ପରତା ପ୍ରକାଶ ପାଇଛି। ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଏହି ସମ୍ବେଦନଶୀଳ ମାମଲାର ତଦନ୍ତ ଭାର ଓଡ଼ିଶା ପୋଲିସର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବା ପାଇଁ ଦାବି କରିଛନ୍ତି।ଏକ ନିରପେକ୍ଷ ଏବଂ ଉଚ୍ଚସ୍ତରୀୟ ତଦନ୍ତ ମାଧ୍ୟମରେ ନିଖୋଜ ଶିଶୁ କନ୍ୟାକୁ ତୁରନ୍ତ ଠାବ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ରିପୋର୍ଟ ଅନୁଯାୟୀ, ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗ୍ରାମର ଏହି ନାବାଳିକା ଝିଅ ପିହୁ, ୨୦୨୦ ମସିହା ଅଗଷ୍ଟ ୯ ତାରିଖରେ ସନ୍ଦେହଜନକ ଭାବେ ନିଖୋଜ ହୋଇଯାଇଥିଲେ।ଘଟଣାର ତୁରନ୍ତ ପରେ ପରିବାର ଲୋକେ ପୋଲିସକୁ ଜଣାଇଥିଲେ ସୁଦ୍ଧା ପୋଲିସ ପକ୍ଷରୁ କୌଣସି ତତ୍ପରତା ଦେଖାଯାଇ ନଥିବା ପିହୁଙ୍କ ମା’ ମୋନାଲିସା ନାୟକ ସ୍ମାରକପତ୍ରରେ ଅଭିଯୋଗ କରିଛନ୍ତି।ନିଖୋଜ ହେବାର ୫ ଦିନ ପରେ ଅର୍ଥାତ୍ ୨୦୨୦ ଅଗଷ୍ଟ ୧୪ ତାରିଖରେ ପୋଲିସ ଆଇପିସି (IPC) ର ଧାରା ୩୬୩ ଅଧୀନରେ ଏକ ମାମଲା ରୁଜୁ କରିଥିଲା। ପିହୁଙ୍କ ପରିବାର ପକ୍ଷରୁ ଗତ କେତେବର୍ଷ ଧରି ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଗୁହାରି କରାଯାଇଥିଲେ ବି ତଦନ୍ତରେ କୌଣସି ଠୋସ ଅଗ୍ରଗତି ହୋଇନାହିଁ।ଆଜିକୁ ପ୍ରାୟ ୬ ବର୍ଷ ବିତିଯାଇଥିଲେ ସୁଦ୍ଧା ପିହୁର କୌଣସି ସନ୍ଧାନ ମିଳିପାରି ନାହିଁ, ଯାହାଫଳରେ ଅସହାୟ ପରିବାର ନ୍ୟାୟ ଅପେକ୍ଷାରେ ଦିନ କାଟୁଛନ୍ତି।ଏହାସହିତ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ସ୍ମାରକପତ୍ରରେ ତତ୍କାଳୀନ ବିଞ୍ଝାରପୁର ଥାନା ଆଇଆଇସି (IIC) ନିରଞ୍ଜନ ସବରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି।ସେତେବେଳେ ତଦନ୍ତ ପ୍ରକ୍ରିୟାରେ ଅବହେଳା ଓ ବିଳମ୍ବ କରାଯାଇଥିବା ନେଇ ସାଂସଦ ଏବଂ ପିହୁଙ୍କ ମା’ ପ୍ରଶ୍ନ ଉଠାଇଛନ୍ତି।ଘଟଣାର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି କ୍ରାଇମବ୍ରାଞ୍ଚ ତଦନ୍ତ ହେଲେ ହିଁ ପ୍ରକୃତ ସତ୍ୟ ସାମ୍ନାକୁ ଆସିପାରିବ ବୋଲି ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ଆଶା ପ୍ରକାଶ କରିଛନ୍ତି।




