ଫେସବୁକରେ ବିଭ୍ରାନ୍ତିକର ପୋଷ୍ଟ କରି ମହଙ୍ଗା ପଡ଼ିଲା:
ନୂଆପଡ଼ାର ସହକାରୀ ଶିକ୍ଷକ ସନ୍ଦୀପ ପାଲ ନିଲମ୍ବିତ

ନୂଆପଡ଼ା, ୨୩ ମେ (ଜିଲ୍ଲା ଖବର ଲାଇଫ): (ଓମ ପ୍ରକାଶ ଚୌଧୁରୀ) ସାମାଜିକ ଗଣମାଧ୍ୟମର ଅପବ୍ୟବହାର କରି ଜଣେ ସରକାରୀ ଶିକ୍ଷକ ନିଲମ୍ବିତ ହେବା ଘଟଣା ଏବେ ନୂଆପଡ଼ା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଫେସବୁକରେ ପ୍ରଶାସନ ବିରୋଧରେ ବିଭ୍ରାନ୍ତିକର ଓ ଅପମାନଜନକ ମନ୍ତବ୍ୟ ଦେଇ ଶେଷରେ ସରକାରୀ ଗାଇଡଲାଇନର ଶିକାର ହୋଇଛନ୍ତି ଜଣେ ସହକାରୀ ଶିକ୍ଷକ।ମିଳିଥିବା ସୂଚନା ଅନୁଯାୟୀ, ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଟେଙ୍ଗନାବସା ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ସହକାରୀ ଶିକ୍ଷକ ସନ୍ଦୀପ କୁମାର ପାଲ ନିଜ ମୋବାଇଲ୍ ଫୋନ ମାଧ୍ୟମରେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଫେସବୁକ’ରେ ଏକ ଆପତ୍ତିଜନକ ପୋଷ୍ଟ କରିଥିଲେ। ଏହି ବାର୍ତ୍ତା ଜରିଆରେ ସେ ବ୍ଲକ ପ୍ରଶାସନର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବାକୁ ଏବଂ ସାଧାରଣରେ ବିଭ୍ରାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ଶିକ୍ଷକଙ୍କ ଏଭଳି ଦାୟିତ୍ୱହୀନ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଘଟଣାଟି ସ୍ଥାନୀୟ ପ୍ରଶାସନ ଓ ଶିକ୍ଷା ବିଭାଗର ଦୃଷ୍ଟିକୁ ଆସିବା ପରେ ଏହାକୁ ଗମ୍ଭୀରତାର ସହ ନିଆଯାଇଥିଲା। କୋମନା ବ୍ଲକ ଶିକ୍ଷାଧିକାରୀ (BEO) ଅନିତା ପଣ୍ଡା ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସରକାରୀ କର୍ମଚାରୀଙ୍କ ପାଇଁ ଥିବା ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଶିକ୍ଷକ ସନ୍ଦୀପ କୁମାର ପାଲଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। କାର୍ଯ୍ୟାଳୟ ପତ୍ର ସଂଖ୍ୟା ୧୮୨୪ ଅନୁଯାୟୀ ଏହି ନିଲମ୍ବନ ଆଦେଶ ଜାରି କରାଯାଇଛି। କୋମନା BEO ଅଫିସରେ ରହିବେ ନିର୍ଦ୍ଦେଶନାମା ଅନୁଯାୟୀ, ନିଲମ୍ବନ ଅବଧି ବଳବତ୍ତର ରହିବା ପର୍ଯ୍ୟନ୍ତ ଶିକ୍ଷକ ସନ୍ଦୀପ କୁମାର ପାଲଙ୍କୁ କୋମନା ବ୍ଲକ ଶିକ୍ଷା କାର୍ଯ୍ୟାଳୟ (BEO Office) ରେ ହିଁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଶାସନର ଏହି ଦୃଢ କାର୍ଯ୍ୟାନୁଷ୍ଠାନ ପରେ ସୋସିଆଲ ମିଡିଆରେ ସରକାରୀ ବିରୋଧୀ କିମ୍ବା ବିଭ୍ରାନ୍ତିକର ପୋଷ୍ଟ କରୁଥିବା ଅନ୍ୟ କର୍ମଚାରୀଙ୍କ ମଧ୍ୟରେ ଏବେ ଛନକା ପଶିଛି।




