ଜିତମିତ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରାଚୀନ ଖାଦ୍ୟ ପରମ୍ପରା ଓ ଅବହେଳିତ ଫସଲ ଉପରେ ସଚେତନତା ଶିବିର
ଜିତମିତ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରାଚୀନ ଖାଦ୍ୟ ପରମ୍ପରା ଓ ଅବହେଳିତ ଫସଲ ଉପରେ ସଚେତନତା ଶିବିର

ନୂଆପଡ଼ା, ୨୫ ଅଗଷ୍ଟ (ଜିଲ୍ଲା ଖବର): ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ଅନ୍ତର୍ଗତ ଜିତମିତ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ “ଭୁଲିଯାଇଥିବା ଖାଦ୍ୟ ଓ ଅବହେଳିତ ଫସଲର ପୁନରୁଦ୍ଧାର ଏବଂ ସ୍ଥାୟୀ ତୀବ୍ରୀକରଣ” ଶୀର୍ଷକ ଏକ ବିଦ୍ୟାଳୟସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ଅଧ୍ୟକ୍ଷ/ପ୍ରଧାନଶିକ୍ଷକ ଶ୍ରୀ ନବୀନ କୁମାର ମେହେରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋମନା ବ୍ଲକ୍ କୃଷି ଅଧିକାରିଣୀ ଶ୍ରୀମତୀ ସଙ୍ଗୀତା ମେହେର, ସମ୍ମାନିତ ଅତିଥି ଭାବେ ବ୍ଲକ୍ ଉପାଧ୍ୟକ୍ଷ ଶ୍ରୀ ଜୟଦେବ ପ୍ରଧାନ ଏବଂ ସ୍ୱେଚ୍ଛାସେବୀ ସଂଗଠନ ‘ସିପିଏସଡବ୍ଲ୍ୟୁ’ (CPSW), କେନ୍ଦୁଭଟାର ସମ୍ପାଦକ ଶ୍ରୀ ବିରଞ୍ଚି ନାରାୟଣ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।ଏଥିରେ କୃଷି ବିଜ୍ଞାନ କେନ୍ଦ୍ର (KVK)ର କୃଷି ବୈଜ୍ଞାନିକ ଉମା ପ୍ରଧାନ ଏବଂ ଶ୍ରୀ ଅନୁଜ କୁମାର ରୟ ସମ୍ବଳ ବ୍ୟକ୍ତି ଭାବେ ଯୋଗଦେଇ ପାରମ୍ପରିକ ଖାଦ୍ୟର ପୁଷ୍ଟିଗୁଣ, ଔଷଧୀୟ ଗୁଣ, ପରିବେଶ ସୁରକ୍ଷା ତଥା ଅବହେଳିତ ଫସଲର ସଂରକ୍ଷଣ ଓ ସ୍ଥାୟୀ ବ୍ୟବହାର ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରାୟ ୩୫୦ ଜଣ ଛାତ୍ରଛାତ୍ରୀ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀ ସକ୍ରିୟ ଭାବେ ଅଂଶଗ୍ରହଣ କରି ପ୍ରାଚୀନ ଖାଦ୍ୟ ସଂସ୍କୃତିର ପୁନରୁଦ୍ଧାର ପାଇଁ ସଂକଳ୍ପ ନେଇଥିଲେ।




